ଭୁବନେଶ୍ବର: କିଛି ଦନର ନୀରବତା ପରେ ପୁଣି ଚର୍ଚାକୁ ଆସିଛି କଟକ କଂଗ୍ରେସ ରାଜନୀତି । ମୋକିମଙ୍କ ପରେ ଏବେ ଦଳର କନ୍ଦର ପଦାକୁ ଆସିଛି । ବିଜେଡି ଛାଡ଼ି କଂଗ୍ରେସର ମିଶିଥିବା ବିଶ୍ବଜିତ ମହାନ୍ତିଙ୍କୁ ନେଇ ଚର୍ଚା ବଢ଼ିଛି । ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ସମର୍ଥକଙ୍କ ସହ ଆସି କଂଗ୍ରେସରେ ମିଶିଛନ୍ତି ବିଶ୍ବଜିତ । ତେବେ ତାଙ୍କ ମିଶ୍ରଣକୁ ନେଇ ଯେତିକି ଚର୍ଚା ନୁହେଁ । ଚର୍ଚା ହେଉଛି ମିଶ୍ରଣ ପର୍ବରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସଙ୍କ ଅନୁପସ୍ଥିତକୁ ନେଇ । ମିଶ୍ରଣ ସମ୍ପର୍କରେ ସୋଫିଆ ବି ଜାଣି ନଥିବା କହିଛନ୍ତି । କଂଗ୍ରେସ ଭବନରେ ବିଶ୍ବଜିତ ମିଶ୍ରଣବେଳେ ପିସିସି ସଭାପତିଙ୍କ ସହ କଂଗ୍ରେସର କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ ପିସିସି ସଭାପତି ସିଧାସିଧା କହିଛନ୍ତି କଟକରେ କଂଗ୍ରେସକୁ ମଜଭୁତ କରାଯିବ । ଏମିତି କି କଟକରେ ବିଶ୍ବଜିତ ନେତୃତ୍ବ ନେବା ନେଇ ଇସାରା ଦେଇଛନ୍ତି ଭକ୍ତ । ବିଶ୍ବଜିତଙ୍କ ପରିବାର ସହ ଦୀର୍ଘ ଦିନର ସମ୍ପର୍କ । କଟକ ସହର ଓ କଂଗ୍ରେସ ପାଇଁ ବିଶ୍ୱଜିତ ବଡ଼ ଭୂମିକା ତୁଲାଇବେ ବୋଲି ପିସିସି ସଭାପତି ଭକ୍ତ ଦାସ ।
ବିଶ୍ବଜିତଙ୍କ ମିଶ୍ରଣକୁ ନେଇ ଯେତିକି ଚର୍ଚା ତାଠୁ ବେଶୀ ଚର୍ଚା ଗଣମାଧ୍ୟମରେ ଭକ୍ତଙ୍କ ବୟାନକୁ ନେଇ । ବିଧାୟିକା ମିଶ୍ରଣ ସମ୍ପର୍କରେ ନ ଜାଣିବା ଓ ଅନୁପସ୍ଥିତ ରହିବା ଏସବୁ ଘଟଣା ଆଲୋଚନାକୁ ଖୋରାକ ଦେଉଛି । କଟକ କଂଗ୍ରେସରେ ଚାଲିଥିବା ଅନ୍ତର୍ଦ୍ବନ୍ଦ୍ବ ଏବେ ପଦାକୁ ଆସିଛି। ଏ ପ୍ରସଙ୍ଗରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋଫିଆ କହିଛନ୍ତି ମିଶ୍ରଣ ପର୍ବ ନେଇ ତାଙ୍କ ପାଖରେ କୌଣସି ସୂଚନା ନ ଥିଲା । ତାଙ୍କ ଜାଣତରେ ଏହି ମିଶ୍ରଣ ପର୍ବ ହୋଇନି । ସୋଫିଆ ସିଧାସିଧା କହିଛନ୍ତି ମିଶ୍ରଣ ପର୍ବ ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇଲେ । ମିଶ୍ରଣ ପ୍ରକ୍ରିୟା ପିସିସି ସ୍ତରରେ ହୋଇଛି । ଏଥିପାଇଁ ପିସିସି ସଭାପତିଙ୍କ ସମ୍ପୂର୍ଣ୍ଣ ଅଧିକାର ଅଛି। ପିସିସି ସଭାପତିଙ୍କ ନିଷ୍ପତ୍ତି ଅନୁସାରେ ସବୁ କାର୍ଯ୍ୟ ହେଉଛି ।
ଦଳକୁ ନୂଆ ଲୋକ ଆସିଲେ ଦଳ ମଜଭୁତ ହେବ । ତେବେ ସମସ୍ତଙ୍କ କେମିତି ଏକାଠି ଯୋଡ଼ି ରଖିହେବ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ବୋଲି ସୋଫିଆ କହିଛନ୍ତି । ଏବେ ସେ ନିଜ ଅଞ୍ଚଳର କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି ବୋଲି ସେ କହିଛନ୍ତି । ପିସିସି ସଭାପତି ଭକ୍ତଦାସଙ୍କ ପରେ ସୋଫିଆଙ୍କ ବୟାନକୁ ନେଇ କଟକ ରାଜନୀତି ସରଗରମ ହୋଇଛି ।ସମନ୍ବୟର ଅଭାବ ନେଇ ଚର୍ଚା ହୋଉଛି । ବିଧାୟିକାଙ୍କ ଅଜ୍ଞାତରେ ତାଙ୍କ ଏରିଆ ନେତାଙ୍କୁ ଦଳରେ ମିଶାଇବା ପଛରେ ଷଡ଼ଯନ୍ତ୍ର ବୋଲି ଚର୍ଚା ହେଉଛି । ମୋକିମଙ୍କୁ ଦଳରୁ ବହିଷ୍କାର ପରେ ସୋଫିଆଙ୍କୁ ସାଇଡ କରିବାକୁ ସୁଚିନ୍ତିତ ଯୋଜନା ବୋଲି କଟକ ରାଜନୀତିକୁ ବିଶ୍ଳେଷଣ କରୁଥିବା ବରିଷ୍ଠ ରାଜନୀତି ସମୀକ୍ଷକ ଓ ସାମ୍ବାଦିକଙ୍କ ମତ । ଅସନ୍ତୋଷ ଓ ଅନ୍ତକନ୍ଦଳ ଭିତରେ କଟକ କଂଗ୍ରେସ ରାଜନୀତିକୁ ନେଇ ଚର୍ଚା ଜୋର ଧରିଛି ।







