ବାତ୍ୟା ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ବର୍ଷା, ଅନ୍ୟାନ୍ୟ ଜିଲ୍ଲାରେ କୁହୁଡ଼ି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱାର’ର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ, ଏହାର ପରୋକ୍ଷ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି, ଆଜି (ଡିସେମ୍ବର ୧) ପାଇଁ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପକ୍ଷରେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ତେବେ, ସକାଳ ସମୟରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ କୋରାପୁଟ, ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି। ଘନ କୁହୁଡି ଯୋଗୁଁ ସକାଳୁ ଯାତାୟତରେ ବାଧା ଉପୁଜିପାରେ, ତେଣୁ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଯାତାୟତ କରିବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ କମ ରହିଛି। ତେବେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହାପରେ, ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ କମିବା ସହ ପୁଣି ଥରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଫଳରେ ରାଜ୍ୟରେ ଶୀତୁଆ ପାଗ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories