ଦୁବାଇରେ D-ଗ୍ୟାଙ୍ଗର ଡ୍ରଗ୍ସ ପାର୍ଟି: ମୁମ୍ବାଇରୁ ହେଉଥିଲା କୋକେନ ଚାଲାଣ

ମୁମ୍ବାଇ ପୋଲିସର ନାର୍କୋଟିକ୍ସ ସେଲ୍ (ANC) ଦ୍ୱାରା ଚାଲିଥିବା ଏକ ବ୍ୟାପକ ତଦନ୍ତରେ ଦୁବାଇରେ D-ଗ୍ୟାଙ୍ଗ ଆୟୋଜିତ କରୁଥିବା ହାଇ-ପ୍ରୋଫାଇଲ ଡ୍ରଗ୍ସ ପାର୍ଟିଗୁଡ଼ିକ ସମ୍ବନ୍ଧରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ତଦନ୍ତରୁ ଜଣାପଡିଛି ଯେ ଏହି ବିଳାସପୂର୍ଣ୍ଣ ପାର୍ଟିଗୁଡ଼ିକରେ ବ୍ୟବହୃତ କୋକେନ ଏବଂ ଅନ୍ୟାନ୍ୟ ମାଦକଦ୍ରବ୍ୟ ମୁମ୍ବାଇରୁ ଚୋରାଚାଲାଣ କରାଯାଉଥିଲା। ଏହି ଅବୈଧ ନେଟୱାର୍କର ପ୍ରମୁଖ ଚାଳକ ଭାବରେ ସଲମାନ ଶେଖ ଓରଫ୍ ଶେରା ବାଟଲା ଏବଂ ଆକିବ ଶେଖଙ୍କ ନାମ ତଦନ୍ତକାରୀଙ୍କ ରାଡାରକୁ ଆସିଛି।

ANC ଅଧିକାରୀଙ୍କ ସୂଚନାନୁସାରେ, ଡ୍ରଗ୍ସ ଗୁଡ଼ିକୁ ବିମାନବନ୍ଦରର କଠୋର ସୁରକ୍ଷା ଯାଞ୍ଚକୁ ଏଡାଇବା ପାଇଁ ଅତ୍ୟନ୍ତ ଚତୁରତାର ସହ ବିଭିନ୍ନ ସାମଗ୍ରୀରେ ଲୁଚାଇ କାର୍ଗୋ ମାଧ୍ୟମରେ କମ୍ ପରିମାଣରେ ଦୁବାଇ ପଠାଯାଉଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଦୁବାଇରେ ଆୟୋଜିତ ହେଉଥିବା ଏହି ଶୋଖିନ ପାର୍ଟିଗୁଡ଼ିକର ମୁଖ୍ୟ ଆୟୋଜକ ହେଉଛନ୍ତି କୁଖ୍ୟାତ ମାଫିଆ ଦାଉଦ ଇବ୍ରାହିମଙ୍କ ଭଣଜା ତଥା ହସିନା ପାରକରଙ୍କ ପୁଅ ଅଲି ଶାହ ପାରକର। ଯେତେବେଳେ ପାର୍ଟି ପାଇଁ ଯୋଜନା ହୁଏ, ସେତେବେଳେ ଶେରା ବାଟଲା ଏବଂ ଆକିବ ଶେଖ ତୁରନ୍ତ ମୁମ୍ବାଇରୁ ଆବଶ୍ୟକ ମାଦକଦ୍ରବ୍ୟ ଯୋଗାଇ ଦେଉଥିଲେ।

ପୋଲିସ ଏବେ ଏହି ନେଟୱାର୍କ ମାଧ୍ୟମରେ କେତେଥର ଡ୍ରଗ୍ସ ଚୋରାଚାଲାଣ ହୋଇଛି ଏବଂ କେଉଁ କେଉଁ ସାମଗ୍ରୀରେ ଲୁଚାଇ ଏହାକୁ ପଠାଯାଇଛି, ତାହାର ବିସ୍ତୃତ ତଥ୍ୟ ସଂଗ୍ରହ କରୁଛି। ଏହି ତଦନ୍ତ ବଲିଉଡ ସମ୍ପର୍କକୁ ନେଇ ମଧ୍ୟ ତିବ୍ର ହୋଇଛି। କେଉଁ କେଉଁ ବଲିଉଡ ସେଲିବ୍ରିଟି ଏହି ପାର୍ଟିଗୁଡ଼ିକରେ ଯୋଗ ଦେଇଥିଲେ, ତାହା ଜାଣିବା ପାଇଁ ପୋଲିସ ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ସେଲିବ୍ରିଟିମାନଙ୍କର ଯାତ୍ରା ବିବରଣୀ ସଂଗ୍ରହ କରୁଛି।

ବର୍ତ୍ତମାନ ଅଲି ଶାହ ପାରକର ଦୁବାଇରେ ଥିବାବେଳେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ANC ଠୋସ ପ୍ରମାଣ ଏକାଠି କରୁଛି। ତଦନ୍ତ ସମୟରେ ଏହା ମଧ୍ୟ ଖୁଲାସା ହୋଇଛି ଯେ ମୁମ୍ବାଇର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଓରି ଦୁବାଇ ଯାତ୍ରା ସମୟରେ ଦାଉଦଙ୍କ ଜଣେ ସମ୍ପର୍କୀୟଙ୍କୁ ଭେଟିବା ପରେ ଏହି ଡ୍ରଗ୍ସ ନେଟୱାର୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା। ଦୁବାଇ–ମୁମ୍ବାଇ ଡ୍ରଗ୍ସ ସଂଯୋଗକୁ ନେଇ ଚାଲିଥିବା ଏହି ତଦନ୍ତ ଆଗାମୀ ଦିନରେ ଅନେକ ବଡ଼ ଓ ଚକିତ କଲାଭଳି ଖୁଲାସା କରିବାର ସମ୍ଭାବନା ରହିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories