ଆମେରିକା ଯିବାକୁ କରିଥିଲେ ମନ, ସେଠାରେ ପ୍ରତିଷ୍ଠିତ ଡାକ୍ତର ହେବାକୁ ଦେଖିଥିଲେ ସ୍ୱପ୍ନ । ମାତ୍ର ଭିସା ନ ମିଳିବାରୁ ଜଣେ ଡାକ୍ତର ନେଇଛନ୍ତି ଚରମ ନିଷ୍ପତ୍ତି । ଫ୍ଲାଟରେ ହାରି ଦେଇଛନ୍ତି ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ । ମୃତ ଡାକ୍ତର ଜଣକ ହେଉଛନ୍ତି 38 ବର୍ଷୀୟ ରୋହିଣୀ । ତାଙ୍କ ଫ୍ଲାଟରୁ ଏକ ସୁଇସାଇଡ ନୋଟ ମିଳିଛି, ଯେଉଁଥିରେ ଆମେରିକା ଭିସା ରିଜେକ୍ଟ ହୋଇଯାଇଥିବାରୁ ଡାକ୍ତର ଜଣକ ମାନସିକ ଚାପରେ ଥିବା ଉଲ୍ଲେଖ କରାଯାଇଛି ।
ସୂଚନା ଅନୁସାରେ, ମୃତ ଡାକ୍ତରଙ୍କ ଘରୋଇ ସହାୟିକା ଯେତେବେଳେ ତାଙ୍କ ରୁମ୍ କବାଟ ଠକ୍ ଠକ୍ କରିଥିଲେ । ଭିତରୁ କୌଣସି ଶବ୍ଦ ଶୁଣିନଥିଲେ । ଫଳରେ ସେ ପରିବାରବର୍ଗଙ୍କୁ ଖବର ଦେଇଥିଲେ । ଘର ଲୋକେ କବାଟ ଭାଙ୍ଗି ଦେଖନ୍ତି ତ ଡାକ୍ତର ରୋହିଣୀ ବିଛଣାରେ ମରି ପଡ଼ିଛନ୍ତି । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ପୋଷ୍ଟମର୍ଟମ କରିଛି । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଅତ୍ୟଧିକ ନିଦ୍ରା ଔଷଧ କିମ୍ବା ପଏଜନ ଇଞ୍ଜେକ୍ସନ ନେଇ ଜୀବନ ହାରିଛନ୍ତି ଡାକ୍ତର ରୋହିଣୀ ।
ମୃତ ରୋହିଣୀଙ୍କ ମାଆ ଲକ୍ଷ୍ମୀଙ୍କ କହିବା ଅନୁସାରେ, ରୋହିଣୀ ବହୁତ ଭଲ ପାଠ ପଢୁଥିଲେ । 2005ରୁ 2010 ମଧ୍ୟରେ କିର୍ଗିଜସ୍ତାନରେ MBBS ପଢା ଶେଷ କରିଥିଲେ । ସେ ଭବିଷ୍ୟତରେ ଆମେରିକାରେ ଇଣ୍ଟରନାଲ୍ ମେଡିସିନ ସ୍ପେଶାଲିଷ୍ଟ ହେବାକୁ ଚାହୁଁଥିଲେ । ମାଆ ଲକ୍ଷ୍ମୀ ତାଙ୍କୁ ଭାରତରେ ରହି ଡାକ୍ତରୀ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ, ମାତ୍ର ଆମେରିକାରେ ଭଲ ସୁଯୋଗ, ଅଧିକ ଦରମା ଏବଂ କମ୍ ରୋଗୀ ଥିବାରୁ ରୋହିଣୀ ତାଙ୍କର ଆମେରିକୀୟ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲେ । ଏଥିପାଇଁ ଆମେରିକା ଭିସା ଆବେଦନ କରିଥିଲେ ।
ଗତ ସପ୍ତାହରେ ତାଙ୍କ ଭିସା ରିଜେକ୍ଟ ହୋଇଯାଇଥିଲା । ଏହା ପରେ ସେ ଡିପ୍ରେସନକୁ ଚାଲି ଯାଇଥିଲେ । ଏହି କାରଣରୁ ସେ ଜୀବନ ହାରି ଦେଇଥିବା କହିଛନ୍ତି ରୋହିଣୀଙ୍କ ମାଆ ।








