ନୂତନ ବିଦ୍ୟୁତ ଗ୍ରୀଡ଼ର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

ନୂତନ ବିଦ୍ୟୁତ ଗ୍ରୀଡ଼ର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ ଅନ୍ତର୍ଗତ ପୋଖରାସାଲେ ଅଞ୍ଚଳରେ ଦୀର୍ଘଦିନର ବିଦ୍ୟୁତ ସମସ୍ୟାର ସମାଧାନ ହୋଇଛି। ରବିବାର ଅପରାହ୍ନ ୧ଟା ସମୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ କରକମଳରେ ଏକ ନୂତନ ୩୩/୧୧ କେଭିଏ (KVA) ପାୱାର ସବ-ଷ୍ଟେସନ ଉଦଘାଟିତ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବାରେ ବ୍ୟାପକ ସୁଧାର ଆସିବ ବୋଲି ଆଶା କରାଯାଉଛି।

ଏହି ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ଏଥିସହ ପ୍ରଶାସନିକ ସ୍ତରରୁ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଟିପିଡବ୍ଲୁଡିଏଲ (TPWODL) ର ସିଇଓ ପ୍ରବୀଣ ବର୍ମା, ସିଡିଓ ବିଶ୍ୱ ରଞ୍ଜନ ମଲ୍ଲିକ ଏବଂ ଏସ.ଇ. ସୁଶାନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ସଭାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ କହିଥିଲେ ଯେ, ଏହି ନୂତନ ପାୱାର ସବ-ଷ୍ଟେସନ କାର୍ଯ୍ୟକ୍ଷମ ହେବା ଫଳରେ ପୋଖରାସାଲେ ଓ ଝୀଲ୍ଲାପାଲି ଗ୍ରାମପଞ୍ଚାୟତ ଅଞ୍ଚଳରେ ବହୁ ଦିନରୁ ଲାଗି ରହିଥିବା ଲୋ-ଭୋଲଟେଜ ସମସ୍ୟାର ସ୍ଥାୟୀ ସମାଧାନ ହେବ। ଏବେଠାରୁ ଏହି ଅଞ୍ଚଳର ଲୋକମାନେ ନିରବଚ୍ଛିନ୍ନ ଭାବେ ୨୪ ଘଣ୍ଟା ବିଦ୍ୟୁତ ସେବା ପାଇପାରିବେ। ଏହି ଅବସରରେ ସେ ଜନସାଧାରଣଙ୍କୁ ବିଦ୍ୟୁତ ଶକ୍ତିର ସଦୁପଯୋଗ କରିବାକୁ ପରାମର୍ଶ ଦେବା ସହ ବିନା କାରଣରେ ବିଦ୍ୟୁତ ଖର୍ଚ୍ଚ ନ କରିବାକୁ ନିବେଦନ କରିଥିଲେ।

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କୁ ଲୋକାଭିମୁଖୀ ହେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ବିଦ୍ୟୁତ କମ୍ପାନୀର କର୍ମଚାରୀମାନେ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ରଖି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ଆବଶ୍ୟକ।

ଅନ୍ୟପଟେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କେନ୍ଦ୍ର ସରକାରଙ୍କ ‘ପିଏମ ସୂର୍ଯ୍ୟଘର ଯୋଜନା’ ଉପରେ ଗୁରୁତ୍ୱାରୋପ କରିଥିଲେ। ସୌରଶକ୍ତି ଆପଣେଇ କିପରି ସାଧାରଣ ଲୋକେ କମ ବିଦ୍ୟୁତ ବିଲ୍ ପୈଠ କରି ଲାଭବାନ ହୋଇପାରିବେ, ସେ ନେଇ ସେ ସଚେତନ କରିଥିଲେ। ଏହି ଗ୍ରୀଡ୍ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ଦାବି ଥିଲା ଏବଂ ଏହା ପୂରଣ ହୋଇଥିବାରୁ ସେ ଉପମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ କୋଲାବିରା ବିଡ଼ିଓ ଅଶୋକ କୁମାର ମାଝୀ, ବିଶିଷ୍ଟ ନେତା ପ୍ରେମସେନ ରାୟ, କୋଲାବିରା ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ଦାଶ, ଲିଙ୍କନ ତଣ୍ଡକାର, ସମରେନ୍ଦ୍ର ରାୟ, ଗଣେଶ କିଷାନ, ମହିଳା ମୋର୍ଚ୍ଚା ସଭାପତି ଲତିକା ସାହୁ, ମୁନା ସାହୁ ଏବଂ ଅରୁଣ ପଟେଲଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ନୂତନ ପ୍ରକଳ୍ପ ସ୍ଥାନୀୟ ଅର୍ଥନୀତି ଓ କୃଷି କାର୍ଯ୍ୟରେ ମଧ୍ୟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories