ଝାରସୁଗୁଡା: ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ରବିବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି କୋଲାଵିରା ଗ୍ରାମରେ ଏକ ପଦଯାତ୍ରା ରେ ସାମିଲ ହୋଇ ଶନି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କୃଷକ ସଭାରେ ଯୋଗଦେଇଥିଲେ l ଅନୁଷ୍ଠିତ ସଭାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ର ବିଜେପି ସରକାର ରେ କୃଷକ ମାନଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟାୟ ବରଦାସ୍ତ୍ କରାଯିବ ନାହିଁ ବୋଲି କହିଥିଲେ l ଏଣୁ ଚାଷୀ ମାନଙ୍କ ଧାନ ବିକ୍ରୟ ବିଳମ୍ୱ ହେଉଥିଲେ ମଧ୍ୟ ଚିନ୍ତା କରିବାର କିଛି ନାହି ବୋଲି କହିବା ସହ ଚାଷୀ ଙ୍କ ଧାନ ସରକାର ଉଚିତ୍ ମୂଲ୍ୟରେ କିଣିବେ ବୋଲି କହିଥିଲେ l
ଯେଉଁ ମିଲ ମାଲିକ ଧାନରେ କଟନି ଛଟନି କରିବା ପାଇଁ ଚାଷୀଙ୍କ ଉପରେ ଚାପ ପକାଉଛନ୍ତି ତାଙ୍କର ତାଲିକା ପ୍ରଦାନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ l ଏହାସହ ଚାଷୀ ମାନେ ଧାନ ବ୍ୟତୀତ ଅନ୍ୟ ଫସଲ ଯଥା ମାଣ୍ଡିଆ ଓ ଡାଲି ଜାତୀୟ ଫସଲ ଅମଳ କରିବା ପାଇଁ ମୁଖ୍ୟଅତିଥି ଶ୍ରୀ ସିଂ ଦେଓ ଚାଷୀ ମାନଙ୍କୁ ଆହ୍ବାନ ଦେଇଥିଲେ l ଅନୁଷ୍ଠିତ କୃଷକ ସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମିଲର୍ସ ଙ୍କ ଦ୍ଵାରା କୃଷକ ଶୋଷଣ ନୀତି କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ l କେତେକ ମିଲ ମାଲିକ ବିଜେଡି ର ଏଜେଣ୍ଟ ସାଜି ଚାଷୀ ମାନଙ୍କୁ ଆନ୍ଦୋଳନ କରିବା ପାଇଁ ପ୍ରବର୍ତାଉଛନ୍ତି l ଏଣୁ ମିଲର୍ସ ଏପରି କାର୍ଯ୍ୟ କୁ ବିରୋଧ କରାଯିବ ସହ ଚାଷୀ ଧାନ ରେ କଟନି ଛଟନି ମୋଟା ମୋଟି କରି ଦିଆଯିବ ନାହିଁ ବୋଲି କହିଥିଲେ l
ଏଥିରେ ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବ ସରକାର ସମୟରେ ଯେତେ ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିନାହିଁ ତାହା ନୂତନ ବିଜେପି ସରକାର ର ଦେଢ଼ ବର୍ଷ ରେ ପୁରଣ ହୋଇ ପାରିଛି ବୋଲି କହିଛନ୍ତି l ଜନସାଧାରଣ ଙ୍କ ଆଶୀର୍ବାଦ ରହିଲେ ଝାରସୁଗୁଡ଼ା ଅଞ୍ଚଲର ସର୍ବାଙ୍ଗୀନ ଉନ୍ନତି ନିଶ୍ଚିତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି l ଏଥିରେ ଜିଲ୍ଲାପାଳ କୃଣାଲ ମୋତିରାମ ଚହ୍ୱାନ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ ନାଏକ, କୋଲାଵିରା ବିଡ଼ିଓ ଅଶୋକ ମାଝୀ,ଉଦ୍ୟାନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ ଧନ୍ୟବାଦ୍ ଦେଇଥିଲେ l ସେୱା ର ଫାଇନାନ୍ସ ମ୍ୟାନେଜର ଶ୍ରୀକାନ୍ତ କଉଡ଼ି ସଭା ପରିଚାଳନା କରିଥିଲେ l ଏହି ଉତ୍ସବ ରେ ୩ ଜଣ ଲଙ୍କା ଚାଷୀ ଙ୍କ ସହ ମହିଳା ଏସଏଚଜି ର ସଦସ୍ୟା ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କୃଷକ ସଭା ପ୍ରାରମ୍ଭ ରେ ପୁରାତନ ଜୟପୁର ଗଡ ତଥା ବର୍ତ୍ତମାନ ର କୋଲାବିରା ର ପୂର୍ବତନ ଜମିଦାର ସ୍ଵାଧୀନତା ସଂଗ୍ରାମୀ ସହୀଦ କରୁଣାକର ସିଂହ ନାଏକ ଙ୍କ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ କରୁଣାକର ସହୀଦ ସ୍ମୃତି ଟ୍ରଷ୍ଟ ର ସଭାପତି ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ ଓ ଅନ୍ୟ ସଦସ୍ୟ ଓ ସଦସ୍ୟା ଯୋଗଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ l ମାଲ୍ୟାର୍ପଣ ପରେ ଜଗନ୍ନାଥ ମନ୍ଦିର ରୁ ଶନି ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l







