୬ ବର୍ଷ ପରେ ବଲିଉଡକୁ ଫେରୁଛନ୍ତି ଦେଶୀ ଗାର୍ଲ: ‘ବାରାଣାସୀ’ ସହ ‘ଡନ୍ ୩’ କୁ ନେଇ ବଢ଼ିଲା ଚର୍ଚ୍ଚା

୬ ବର୍ଷ ପରେ ବଲିଉଡକୁ ଫେରୁଛନ୍ତି ଦେଶୀ ଗାର୍ଲ: ‘ବାରାଣାସୀ’ ସହ ‘ଡନ୍ ୩’ କୁ ନେଇ ବଢ଼ିଲା ଚର୍ଚ୍ଚା

ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଏବେ ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଚର୍ଚ୍ଚିତ ବିଶ୍ୱସ୍ତରୀୟ ତାରକା ପ୍ରିୟଙ୍କା ଚୋପ୍ରା ଦୀର୍ଘ ଛଅ ବର୍ଷ ପରେ ବଲିଉଡକୁ ଫେରୁଥିବା ବେଳେ ତାଙ୍କ ହାତରେ ଏକାଧିକ ବଡ଼ ପ୍ରୋଜେକ୍ଟ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏସ.ଏସ. ରାଜାମୌଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ବାରାଣାସୀ’ (Varanasi) ଜରିଆରେ ସେ ପୁଣିଥରେ ଭାରତୀୟ ପରଦାକୁ ଫେରୁଛନ୍ତି।

କେବଳ ‘ବାରାଣାସୀ’ ନୁହେଁ, ବରଂ ତାଙ୍କର ଦୁଇଟି ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ‘ଡନ୍ ୩’ (Don 3) ଏବଂ ‘କ୍ରିଶ୍ ୪’ (Krrish 4) ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିପାରେ ବୋଲି ଖବର ମିଳିଛି।

ତେବେ ଖାସ୍ କରି ‘ଡନ୍ ୩’ କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଶୀର୍ଷରେ ରହିଛି। ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ଫରହାନ ଅଖତର ପୁଣିଥରେ ଶାହରୁଖ ଖାନଙ୍କୁ ଏହି ଆଇକନିକ୍ ସିନେମା ପାଇଁ ଯୋଗାଯୋଗ କରିଛନ୍ତି। ଶାହରୁଖ ବର୍ତ୍ତମାନ ତାଙ୍କର ଅନ୍ୟ ଏକ ଫିଲ୍ମ ‘କିଙ୍ଗ୍’ରେ ବ୍ୟସ୍ତ ଥିଲେ ମଧ୍ଯ, ଫରହାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଯୋଗୁଁ ସେ ଏହି ପ୍ରୋଜେକ୍ଟ ପାଇଁ ସମ୍ମତି ପ୍ରକାଶ କରିଥିବା କୁହାଯାଉଛି।

ସେହିପରି ‘ରୋମା’ ଭୂମିକାରେ ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ମଧ୍ୟ ଗୁଜବ ଜୋର ଧରିଛି। ଯଦି ଏହା ସତ ହୁଏ, ତେବେ ଦୀର୍ଘ ଦଶନ୍ଧି ପରେ ପୁଣିଥରେ ପରଦାରେ ଏହି ହିଟ୍ ଯୋଡ଼ିଙ୍କୁ ଦେଖିବାର ସୁଯୋଗ ମିଳିବ।

ନିକଟରେ ‘ସ୍କ୍ରିନ୍‌ରାଣ୍ଟ’ ସହ ଏକ ସାକ୍ଷାତକାରରେ ଯେତେବେଳେ ପ୍ରିୟଙ୍କାଙ୍କୁ ତାଙ୍କର ଆଗାମୀ ସିକ୍ୱେଲ୍ ବିଷୟରେ ପଚରାଗଲା, ସେ ରହସ୍ୟମୟ ଢଙ୍ଗରେ କହିଥିଲେ, “ମୁଁ ଏହି ବିଷୟରେ କିଛି କହିପାରିବି କି ନାହିଁ ଜାଣିନି।” ସେଠାରେ ଉପସ୍ଥିତ ଥିବା ସୁପରଷ୍ଟାର ମହେଶ ବାବୁ ମଧ୍ୟ ହସି ହସି କହିଥିଲେ ଯେ, ଯେହେତୁ ସେ କିଛି କହୁନାହାନ୍ତି, ତେଣୁ ନିଶ୍ଚିତ ଭାବେ କିଛି ବଡ଼ କାମ ଚାଲିଛି। ଉତ୍ତର ରେ ପ୍ରିୟଙ୍କା କହିଲେ ଯେ “ଆଗକୁ ବହୁତ ରୋମାଞ୍ଚକର ସମୟ ଆସୁଛି। ‘ବାରାଣାସୀ’ ହେଉଛି ଭାରତକୁ ଫେରିବା ପରେ ମୋର ପ୍ରଥମ ଫିଲ୍ମ। ଏଥିରେ ମୋତେ ପୁଣିଥରେ ନାଚିବାର ସୁଯୋଗ ମିଳିଛି, ଯାହା ମୁଁ ହଲିଉଡରେ କରିପାରୁନଥିଲି। ତେଣୁ ମୁଁ ଖୁବ୍ ଉତ୍ସାହିତ ଅଛି। ”

ଡନ୍’ ଏବଂ ‘କ୍ରିଶ୍’ ଭଳି ଚଳଚ୍ଚିତ୍ର ପ୍ରିୟଙ୍କାଙ୍କୁ ବଲିଉଡର ଶୀର୍ଷରେ ପହଞ୍ଚାଇଥିଲା। ଏହାର ପରବର୍ତ୍ତୀ ଭାଗରେ ତାଙ୍କର ଉପସ୍ଥିତି ଫିଲ୍ମର ସଫଳତାକୁ ଦ୍ୱିଗୁଣିତ କରିବ। ପ୍ରିୟଙ୍କା ଙ୍କ କମ୍ ବ୍ୟାକ୍ କୁ ନେଇ ଦର୍ଶକ ମହଲ ରେ ଖୁସି ର ଛାୟା ଖେଳି ଯାଇଛି। ସୋସିଆଲ ମିଡିଆରେ ଏବେ ପ୍ରଶଂସକମାନେ କେବଳ ଅଫିସିଆଲ୍ ଘୋଷଣାକୁ ଅପେକ୍ଷା କରିଛନ୍ତି।

Latest Stories