ନକ୍ସଲ ମୁକ୍ତ ତଥା ଗଞ୍ଜେଇ ମୁକ୍ତ ହେବ ସମସ୍ତ ଜିଲ୍ଲା- ଡିଜିପି ଖୁରାନିଆ

ନକ୍ସଲ ମୁକ୍ତ ତଥା ଗଞ୍ଜେଇ ମୁକ୍ତ ହେବ ସମସ୍ତ ଜିଲ୍ଲା

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଦୁଇ ଦିନିଆ ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ଗୁଡିକରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ସମସ୍ଯା, ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବାକୁ ଏବଂ ଆଗାମୀ ଦିନରେ ଅପରାଧୀ ତଥା ମାଓବାଦୀଙ୍କ ବିରୋଧରେ ସ୍ଵତନ୍ତ୍ର ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଡିଜିପି ଶ୍ରୀ ଖୁରାନିଆ ଗତକାଲି ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଜି ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇଥିଲେ। ସେଠାରେ ପେନାମାଳ ସ୍ଥିତ ସିଓବି କ୍ୟାମ୍ପ ଏବଂ ସିଆରପିଏଫ କ୍ୟାମ୍ପକୁ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଏସଓଜି ଟିମ ଲିଡର, ଡିଭିଏଫ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଏହି ଅବସରରେ ଉପରୋକ୍ତ ସମସ୍ତ ଜିଲ୍ଲାକୁ ନକ୍ସଲ ମୁକ୍ତ ତଥା ଗଞ୍ଜେଇ ମୁକ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ଆହ୍ଵାନ ଦେଇଥିଲେ। ଅତୀତରେ ମାଓବାଦୀ ମୁକାବିଲା କ୍ଷେତ୍ରରେ ଜିଲ୍ଲା ପୋଲିସ ସକ୍ରିୟ ଭୁମିକା ଗ୍ରହଣ କରିଥିଲା। ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ଏତଦବ୍ଯତୀତ ଜିଲ୍ଲାରେ ନକ୍ସଲ ସମସ୍ୟାକୁ ପ୍ରତିହତ କରିବାକୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ କରି ସମ୍ପୃକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ନଷ୍ଟ କରିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଗସ୍ତରେ ଆସି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉପଖଣ୍ଡରେ ଅପରାଧ ଓ ଅପରାଧୀ ତଥା ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ କାର୍ଯ୍ୟ କରିବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଡିଜିପିଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ଶ୍ରୀ ସଂଜୀବ ପଣ୍ଡା, ଆଇଜି (ଦକ୍ଷିଣାଞ୍ଚଳ) ଶ୍ରୀ ନୀତି ଶେଖର, ଆଇଜି (ଅପରେସନ) ଡ଼. ଦୀପକ କୁମାର, ଏସପି (ରାୟଗଡା) ସ୍ଵାଥୀ ଏସ. କୁମାର, ଏସପି (କନ୍ଧମାଳ) ଶ୍ରୀ ହରିଶ ବି. ସି., ଗଞ୍ଜାମ ଏସପି ଶ୍ରୀ ଶୁଭେନ୍ଦୁ ପାତ୍ରଙ୍କ ସମେତ ବିଏସଏଫ ଓ ସିଆରପିଏଫର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories