ବିଜୁ ଜୟନ୍ତୀରେ ଦିଲ୍ଲୀପଙ୍କ ‘ଭାବପୂର୍ଣ୍ଣ’ ପୋଷ୍ଟ: ବଢ଼ିଲା ରାଜନୈତିକ ସସପେନ୍ସ, ପ୍ରତିକ୍ରିୟା ରଖିଲେ ବିଜେଡି ହେଭିୱେଟ

ଭୁବନେଶ୍ଵର: ସାମ୍ପ୍ରତିକ ରାଜୈତିକ ପରିବେଶରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ସେ ନିଜର ଭାବବେଗ ପ୍ରକାଶ କରିବା ସହ ରାଜନୈତିକ ଭବିଷ୍ୟତର ସଙ୍କେତ ଦେଇଛନ୍ତି। ମାର୍ଚ୍ଚ ୫ ତାରିଖକୁ କେବଳ ଏକ ତାରିଖ ନୁହେଁ, ବରଂ ଏକ ‘ସ୍ମୃତିର ଦିନ’ ଭାବେ ବର୍ଣ୍ଣନା କରିଛନ୍ତି ଦିଲ୍ଲୀପ।

ନିଜର ଭାବାବେଗ ପ୍ରକାଶ କରି ଦିଲ୍ଲୀପ ଲେଖିଛନ୍ତି ଯେ, “ବିଜୁ ବାବୁ କେବଳ ଓଡ଼ିଶାର ଭାଗ୍ୟବିଧାତା ନଥିଲେ, ବରଂ ତାଙ୍କ ଭଳି ଅନେକଙ୍କ ସାର୍ବଜନୀନ ଜୀବନର ଯାତ୍ରାକୁ ଗଢ଼ିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ନିଷ୍ପତ୍ତି ନେବାରେ ସାହସିକତା ଏବଂ ସଂକୀର୍ଣ୍ଣ ଚିନ୍ତାଧାରାରୁ ଉର୍ଦ୍ଧ୍ୱକୁ ଉଠି ଓଡ଼ିଶା ସ୍ୱାର୍ଥ ପାଇଁ କାମ କରିବା ହିଁ ବିଜୁ ବାବୁଙ୍କ ପ୍ରକୃତ ଶିକ୍ଷା ବୋଲି ସେ ଦର୍ଶାଇଛନ୍ତି।ବିଜୁ ବାବୁ ଜଣେ ପ୍ରକୃତ ଜନନାୟକ ଥିଲେ, ଯିଏ ଦଳୀୟ ବିଚାରଧାରାରୁ ବହୁ ଉର୍ଦ୍ଧ୍ୱରେ ରହି ସମଗ୍ର ଓଡ଼ିଶାର ସ୍ୱପ୍ନକୁ ସାକାର କରିବାକୁ ଚାହୁଁଥିଲେ।”
ଦିଲ୍ଲୀପ ରାୟଙ୍କ ଏହି ଆବେଗଭରା ପୋଷ୍ଟ ଏବଂ ଆଗାମୀ ନିର୍ବାଚନୀ ରଣନୀତିକୁ ନେଇ ବିଜେଡିର ହେଭିୱେଟ ନେତାମାନେ ନିଜର ମତ ରଖିଛନ୍ତି। ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଦଳରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। “ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେବେ, ତାକୁ ସମସ୍ତେ ଗ୍ରହଣ କରିବେ। ନିର୍ବାଚନ ଫଳାଫଳ ଆସିଲେ ଆପଣ ଦେଖିବେ ଯେ ସବୁକିଛି ବିଜୁ ଜନତା ଦଳ ସପକ୍ଷରେ ରହିବ।”

ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲି ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜୁ ଜନତା ଦଳ ସବୁବେଳେ ସୁସଂଗଠିତ।
“ବିଜୁ ବାବୁଙ୍କ ଆଦର୍ଶରେ ଆମେ ଚାଲୁଛୁ। ନିର୍ବାଚନ ସମୟରେ ଅନେକ କଥା ଚର୍ଚ୍ଚା ହୁଏ, କିନ୍ତୁ ଆମ ଦଳର ସୁପ୍ରିମୋ ଯାହାଙ୍କୁ ଯେଉଁ ଦାୟିତ୍ୱ ଦେବେ, ସେଇଟା ହିଁ ଶେଷ ନିଷ୍ପତ୍ତି। ବିଜେଡି ଏକାଠି ଅଛି ଏବଂ ଆଗକୁ ମଧ୍ୟ ରହିବ।”

ଦିଲ୍ଲୀପ ରାୟଙ୍କ ପୋଷ୍ଟ ପରୋକ୍ଷରେ ଏକ ନୂଆ ରାଜନୈତିକ ସମୀକରଣର ସଙ୍କେତ ଦେଉଥିବା ବେଳେ, ବିଜେଡି ଶିବିର ‘ନବୀନ କାର୍ଡ’ ଖେଳି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇବାକୁ ଚେଷ୍ଟା କରୁଛି। ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ଏହି ରାଜନୈତିକ ବୟାନବାଜି ଆଗାମୀ ଦିନରେ କି ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Latest Stories