ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭାରତ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଭରି ରହିଛି ବିଶେଷତା । ଭାସା, ଚଳନି, ଖାଦ୍ୟପେୟ ସାଙ୍ଗକୁ ଘଞ୍ଚ ବନାନୀ, ନୀଳ ସାଗର ଆଉ ସୁଦୀର୍ଘ ପର୍ବତମାଳା ଭାରତକୁ ସୁନ୍ଦରତାର ଚାଦର ଘୋଡ଼େଇ ଦେଇଛି । ଆମ ଦେଶରେ ଏପରି ଅନେକ ସ୍ଥାନ ଅଛି, ଯାହା ଭୂସ୍ୱର୍ଗ ସଙ୍ଗେ ସମାନ, ଆଉ ତା ସାଙ୍ଗକୁ ବିଦେଶରେ ଥିବା ଏକାଧିକ ସୌନ୍ଦର୍ଯ୍ୟମୟ ସ୍ଥାନର ଅବିକଳ ଦୃଶ୍ୟ । ଯେମିତି ପେହଲଗାମ ଭାରତର ସ୍ୱିଜରଲ୍ୟାଣ୍ଡ ଭାବେ ଖ୍ୟାତ, ସେମିତି ଦୁଇଟି ରାଜ୍ୟର ଏପରି ସ୍ଥାନ ଅଛି ଯାହାକୁ ଭାରତର ନରୱେ ବୋଲି କହନ୍ତି । ସେ ସ୍ଥାନ କେଉଁଠି ଅଛି, ଜାଣନ୍ତୁ ଏହି ଆଲେଖ୍ୟରୁ…
କେଉଁ ରାଜ୍ୟରେ ଅଛି ଭାରତର ନରୱେ?
ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଉପତ୍ୟକା ଏବଂ ହିମାଚଳ ପ୍ରଦେଶର ନାରକାଣ୍ଡାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉଭୟଙ୍କୁ ଭାରତର ନରୱେ ଆଖ୍ୟା ଦେଇଛି ।
ଦିବାଙ୍ଗ ଉପତ୍ୟାକା:
ଅରୁଣାଚଳ ପ୍ରଦେଶର ଉତ୍ତର-ପୂର୍ବ ରାଜ୍ୟରେ ଅବସ୍ଥିତ ଦିବାଙ୍ଗ ଉପତ୍ୟକା । ଏହି ଜିଲ୍ଲାର ଆକର୍ଷଣୀୟ ଗଭୀର ଉପତ୍ୟାକା ଏବଂ ଘାଟି ରାସ୍ତା ସାଙ୍ଗକୁ ତଳେ ଦିବାଙ୍ଗ ନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଅଙ୍କାବଙ୍କା ଚାଲି ଦେଖଣାହାରିଙ୍କ ମନ ମୋହେ । ବିଶେଷ କରି ଶୀତଋତୁରେ ତୁଷାରପାତରେ ଧଳା ଚାଦର ପିନ୍ଧିଥିବା ଏ ଅଞ୍ଚଳ ଦିବାଙ୍ଗ ଉପତ୍ୟାକାର ସୁନ୍ଦରତାକୁ ଦ୍ୱିଗୁଣିତ କରିଦିଏ । ଏ ଦୃଶ୍ୟକୁ ଯେକେହି ଦେଖିବ, କହିବ – ସତରେ କଣ ପ୍ରକୃତି ଏମିତି ସଜେଇ ହୁଏ?
ପପୁଲେସନ ଡେନସିଟି ବା ଜନସଂଖ୍ୟା ଘନତାରେ ଦିବାଙ୍ଗ ଉପତ୍ୟକା ହେଉଛି ଭାରତରେ ସବୁଠାରୁ କମ୍ । 2011 ଜନଗଣନା ଅନୁସାରେ, ଏଠାରେ ପ୍ରତି ବର୍ଗ କିଲୋମିଟରରେ ଜଣେରୁ କମ୍ ଲୋକ ବସବାସ କରନ୍ତି । ଏଥିପାଇଁ ଏହି ଅଞ୍ଚଳକୁ ଭାରତର ସବୁଠୁ ନିର୍ଜନ ସ୍ଥାନ ମଧ୍ୟରୁ ଗୋଟିଏ ଭାବେ ବିବେଚନା କରାଯାଏ । ଏହି ଉପତ୍ୟାକାରେ ଏକ ବିରଳ ବିଲୁପ୍ତପ୍ରାୟ ବିରାଟ ସ୍ତନ୍ୟପାୟୀ ପ୍ରାଣୀ ରହିଛି, ଯାହାକୁ ପ୍ରାୟତଃ ‘ଗୋଟ୍-ଏଣ୍ଟିଲୋପ୍’ କୁହାଯାଏ ।
ଔଷଧୀୟ ଉଦ୍ଭିଦର ଭଣ୍ଡାର ହେଉଛି ଦିବାଙ୍ଗ ଉପତ୍ୟାକା । ଏହି ଉପତ୍ୟକା ଏକ ପ୍ରାଚୀନ ରାସ୍ତା ନିକଟରେ ଅବସ୍ଥିତ ଯାହା ଐତିହାସିକ ଭାବରେ ୟୋଙ୍ଗଗ୍ୟାପ୍ ଲା ପରି ଉଚ୍ଚ ପର୍ବତ ପଥ ଦେଇ ତିବ୍ଦତ (ଚୀନ୍) ସହ ସଂଯୋଗ କରିଛି । ଏକାଧିକ ଜଳପ୍ରପାତର ଉପସ୍ଥିତି କାରଣରୁ ଦିବାଙ୍ଗ ଭ୍ୟାଲିର ଜଳବାୟୁ ଖୁବ୍ ଥଣ୍ଡା । ଗ୍ରୀଷ୍ମଋତୁରେ ମଧ୍ୟ ଏଠାରେ ଥଣ୍ଡା ଅନୁଭୂତ ହୁଏ, ଯାହା ଏହି ସ୍ଥାନର ବିଶେଷତାକୁ ବଢାଇ ଦେଇଛି ।
ନରକଣ୍ଡା:
ହିମାଚଳ ପ୍ରଦେଶର ଶିମଲା ଜିଲ୍ଲାରେ ଅବସ୍ଥିତ ଏକ ସୁନ୍ଦର ସହର, ଯାହାର ନାମ ନରକଣ୍ଡା । କେତେକ ସମୟରେ ଏହି ନରକଣ୍ଡାକୁ ଭାରତର ନରୱେ ବୋଲି କୁହାଯାଏ । ବିଶେଷକରି ଶୀତଋତୁରେ ବରଫ ଆଚ୍ଛନ୍ନ ସ୍ଥାନ ଶୀତଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ଏହି ସମୟରେ ନରକଣ୍ଡାରେ ସ୍କିଇଁ ବିଶ୍ୱ ପ୍ରସିଦ୍ଧ । ହିନ୍ଦୁସ୍ତାନ-ତିବ୍ଦତ ରାସ୍ତାରେ 2,708 ମିଟର ଉଚ୍ଚତାରେ ଅବସ୍ଥିତ ନରକାଣ୍ଡା ଅବସ୍ଥିତ ।
ନରକଣ୍ଡା ଐତିହାସିକ ହିନ୍ଦୁସ୍ତାନ-ତିବ୍ଦତ ରୋଡ୍ (NH-5)ରେ ଅବସ୍ଥିତ । ଏଥିପାଇଁ ଏହାକୁ ଭାରତ ଏବଂ ତିବ୍ଦତ ମଧ୍ୟରେ ବାଣିଜ୍ୟ ପାଇଁ ଏକ ପ୍ରାଚୀନ ମାର୍ଗ ରୂପେ ବିବେଚନା କରାଯାଏ । ନରକଣ୍ଡା ଅଞ୍ଚଳ ସତଲେଜ୍ ନଦୀ (ସିନ୍ଧୁ ନଦୀର ଏକ ପ୍ରମୁଖ ଶାଖା ନଦୀ) ଏବଂ ବିଆସ ନଦୀର ମୁଖ୍ୟ ଜଳବିଭାଜିକା ନିକଟରେ ଅବସ୍ଥିତ ।








