ଆଜି ‘କର ବା ମର’ ପରିସ୍ଥିତିରେ ତୃତୀୟ ଦିନିକିଆ: ବିଶାଖାପାଟଣାରେ ହେବ ନିର୍ଣ୍ଣାୟକ ମୁକାବିଲା

ଆଜି 'କର ବା ମର' ପରିସ୍ଥିତିରେ ତୃତୀୟ ଦିନିକିଆ: ବିଶାଖାପାଟଣାରେ ହେବ ନିର୍ଣ୍ଣାୟକ ମୁକାବିଲା

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି। ଏହି ସିରିଜର ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଆଜି ବିଶାଖାପାଟଣାସ୍ଥିତ ଡକ୍ଟର ୱାଇ.ଏସ୍. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ସିରିଜ୍ ଜିତିବା ପାଇଁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଏକ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି, ତେଣୁ ଏକ ରୋମାଞ୍ଚକର ମୁକାବିଲା ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।

ଭାରତ ପ୍ରଥମ ଦିନିକିଆ ମ୍ୟାଚ୍ ଜିତିଥିବାବେଳେ, ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଦଳ ବିଜୟ ହାସଲ କରି ସିରିଜ୍‌କୁ ବରାବର ସ୍ତରକୁ ଆଣିଥିଲା। ଦ୍ୱିତୀୟ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୩୫୯ ରନ୍‌ର ଏକ ବିଶାଳ ବିଜୟ ଲକ୍ଷ୍ୟକୁ ସଫଳତାର ସହ ପିଛା କରିଥିଲା।

ବ୍ୟାଟିଂରେ ଭାରତୀୟ ଦଳର ପ୍ରଦର୍ଶନ ଶାଣିତ ରହିଛି। ବିଶେଷ କରି କିଙ୍ଗ୍ କୋହଲି ଉଭୟ ମ୍ୟାଚରେ ବ୍ୟାକ୍ ଟୁ ବ୍ୟାକ୍ ଶତକ ହାସଲ କରି ଶାନଦାର ଫର୍ମରେ ରହିଛନ୍ତି। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୩୫୮ ରନ୍ କରିବା ସତ୍ତ୍ୱେ ପ୍ରତିପକ୍ଷକୁ ରୋକିବାରେ ବିଫଳ ହେବାରୁ ଦଳର ବୋଲିଂ ବିଭାଗରେ କିଛି ଦୁର୍ବଳତା ପରିଲକ୍ଷିତ ହୋଇଛି। ଆଜିର ମ୍ୟାଚ୍ ଏକ ବ୍ୟାଟିଂ-ଅନୁକୂଳ ପିଚ୍ ରେ ଖେଳାଯିବାର ସମ୍ଭାବନା ଥିବାରୁ, ବୋଲରମାନଙ୍କ ଉପରେ ଚାପ ଅଧିକ ରହିବ।

ଦିନିକିଆ ସିରିଜ୍ ପରେ ଉଭୟ ଦଳ ମଧ୍ୟରେ T-20 ସିରିଜ୍ ଆରମ୍ଭ ହେବ, ଯାହାର ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିପାଇଁ ଦକ୍ଷିଣ ଆଫ୍ରିକାର ୫ ଜଣ ଖେଳାଳି – ଡେଭିଡ୍ ମିଲର, ଫରେଇରା, ହେଣ୍ଡ୍ରିକସ୍, ଜର୍ଜ ଫ୍ରେଡରିକ ଏବଂ କ୍ୱେନା ମାଫାଖା – ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଓସିଏ (OCA) ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରି ସିଧାସଳଖ ହୋଟେଲ ମେ’ ଫେୟାରକୁ ପାଛୋଟି ନେଇଥିଲେ। ଆଜି ମଧ୍ୟ କିଛି ଭାରତୀୟ ଖେଳାଳି ଆସିବାର ସୂଚନା ରହିଛି।

ବାରବାଟୀ T-20 ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ଷ୍ଟାଡିୟମ୍ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ ପ୍ରଶଂସକମାନେ ଟିକେଟ୍ ସଂଗ୍ରହ କରିବା ପାଇଁ ଭିଡ଼ ଜମାଇଥିଲେ। ଯେତିକି ଟିକେଟ୍ ଉପଲବ୍ଧ ଥିଲା, ତା’ଠାରୁ ବହୁ ଅଧିକ ଲୋକ ଲାଇନରେ ଛିଡ଼ା ହୋଇଥିବାରୁ ଶୀଘ୍ର ଟିକେଟ୍ ସରିଯାଇଥିଲା। ଟିକେଟ୍ ନପାଇ ଅନେକ କ୍ରିକେଟ୍ ପ୍ରେମୀ ନିରାଶ ହୋଇ ଫେରିଛନ୍ତି। ଏହି ସମୟରେ କିଛି ସ୍ଥାନରେ ଟିକେଟ୍ ବ୍ଲାକ୍‌ରେ ବିକ୍ରି ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories