ଶିକ୍ଷା ବ୍ୟବସ୍ଥାର ଦୁର୍ଦ୍ଦଶା: ପୂର୍ବ ସରକାରର ଭୁଲ୍ କହି ନୂଆ ସରକାର ଦେଲେ ଆଶ୍ୱାସନା

ଶିକ୍ଷା ବ୍ୟବସ୍ଥାର ଦୁର୍ଦ୍ଦଶା: ପୂର୍ବ ସରକାରର ଭୁଲ୍ କହି ନୂଆ ସରକାର ଦେଲେ ଆଶ୍ୱାସନା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ଶିକ୍ଷକମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୃହରେ ଏହାର ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆନ୍ଦୋଳନକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଗତ ଡିସେମ୍ବର ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ୱଙ୍କ ସହ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସକାରାତ୍ମକ ଆଲୋଚନା ହୋଇଥିଲା। ଏହି ସମୟରେ ଆନ୍ଦୋଳନରୁ ହଟିବା ପାଇଁ ସେମାନେ କଥା ଦେଇଥିଲେ । ମାତ୍ର କୌଣସି ବାହ୍ୟ ପ୍ରରୋଚନାରେ ସେମାନେ ପୁଣି ଧାରଣାରେ ବସିଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଗଣଶିକ୍ଷା ବିଭାଗ ଏବଂ ସରକାର ଶିକ୍ଷକମାନଙ୍କ ସମସ୍ୟା ପ୍ରତି ସକାରାତ୍ମକ ରହିଛି। ତେବେ ଗୋଟିଏ ଦିନରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସବୁ ଦିଗକୁ ତର୍ଜମା କରି ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ। ସେ ଆନ୍ଦୋଳନ ନକରି ସରକାରଙ୍କ ଉପରେ ବିଶ୍ୱାସ ରଖିବାକୁ ଶିକ୍ଷକମାନଙ୍କୁ ନିବେଦନ କରିଛନ୍ତି ।

ମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଥିଲେ ଯେ ଦୀର୍ଘ ଦିନ ଧରି ଶିକ୍ଷକମାନଙ୍କର ଯେଉଁ ସମସ୍ୟା ରହିଥିଲା, ତାହା ପୂର୍ବ ସରକାର ବୁଝିନଥିଲେ। ମାତ୍ର ଏହି ସରକାର ତାହା ବୁଝିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଆଗାମୀ ଦିନରେ ଆଉ ଠିକା ନିଯୁକ୍ତି ଦିଆଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଭାଗ ଆବଶ୍ୟକ ପଡ଼ିଲେ ପୁଣିଥରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି।

ଅନ୍ୟପକ୍ଷରେ, ମନ୍ତ୍ରୀଙ୍କ ଆହ୍ୱାନ ସତ୍ତ୍ୱେ ରାଜ୍ୟର ୩୧୪ଟି ଆଦର୍ଶ ବିଦ୍ୟାଳୟର ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ନିଜର ବିକ୍ଷୋଭ ଜାରି ରଖିଛନ୍ତି। ନିୟମିତ ଚାକିରି, ନୂଆ ନିଯୁକ୍ତି ଏବଂ ‘ସମାନ କାମକୁ ସମାନ ଦରମା’ ସମେତ ସର୍ବମୋଟ ୧୩ ଦଫା ଦାବି ନେଇ ଏହି ଆନ୍ଦୋଳନ ୫ ଦିନରେ ପହଞ୍ଚିଛି।

ସରକାର ସେମାନଙ୍କ କଥା ନଶୁଣିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଛନ୍ତି। ସଂଘର ପ୍ରମୁଖ ଦାବି ମଧ୍ୟରେ ଓଏଭି (OAV) କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା ଏବଂ ଶାରୀରିକ ଶିକ୍ଷା, ସଙ୍ଗୀତ ଓ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ସମାନ କାମ ପାଇଁ 4600 ଗ୍ରେଡ୍ ପେ ପ୍ରଦାନ କରିବା ଆଦି ରହିଛି। ଏହା ସହିତ ପ୍ରତ୍ୟେକ ବିଦ୍ୟାଳୟରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା ଏବଂ ସାଇନ୍ସ ଓ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା ମଧ୍ୟ ଏହି ଦାବିରେ ସାମିଲ୍ ଅଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories