ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପାଲି ଗ୍ରାମର ଦ୍ରୌପଦୀ ପ୍ରଧାନ(୮୧) ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହେବା ଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି l ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ଦ୍ରୌପଦୀ କ୍ଷୋଭ ପ୍ରକାଶ କରିଛନ୍ତି l ତାଙ୍କୁ ଚଳିତ ବର୍ଷ ମାର୍ଚ୍ଚ ମାସ ୯ ତାରିଖରେ ୮୧ ବର୍ଷ ପୂରଣ ହୋଇଥିଲେ ସୁଦ୍ଧା ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବାରୁ ବାଦ ପଡିବା ଭଳି ଅଭାବନୀୟ ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି?
ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର ପ୍ରତିକ୍ରିୟା ନେବାରୁ ପ୍ରତ୍ୟେକ ମାସରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ବିଭାଗ ପକ୍ଷରୁ ସରକାରଙ୍କ ପାଖକୁ ତଥ୍ୟ ପଠାଯାଉଛି l ରାଜ୍ୟ ସରକାରଙ୍କ ନୂଆ ଟାର୍ଗେଟ ଆସିଲେ କିମ୍ବା ବର୍ଦ୍ଧିତ ଭତ୍ତା ପାଉଥିବା ହିତାଧିକାରୀଙ୍କ ଯଦି ମୃତ୍ୟୁ ଘଟେ ତେବେ ଚିହ୍ନିତ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ l ଦ୍ରୌପଦୀଙ୍କ ନାଁ ତାଲିକାଭୁକ୍ତ ହୋଇଛି କି ନାହିଁ ଦେଖିକି କହିବି ବୋଲି ପ୍ରତିକ୍ରିୟା ରଖିଥିଲେ l
ବିଜୁ ଜନତା ଦଳର ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁ ବିଜେପି ସରକାର ମିଥ୍ୟାର ସୌଦାଗର ବୋଲି କଟାକ୍ଷ କରିବା ସହ ରାଜ୍ୟ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ମତ ରଖିଛନ୍ତି l ଅନ୍ୟଥା ଆଗାମୀ ଦିନରେ ଲୋକଙ୍କ ନ୍ୟାୟ ପାଇଁ ବିଜେଡ଼ି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଦ୍ରୌପଦୀ ପ୍ରଧାନଙ୍କ ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ ସହ ତୁରନ୍ତ ବର୍ଦ୍ଧିତ ଭତ୍ତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି l







