କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: “ମୋ’ ବିଚାରଧାରାରୁ କେହି କଂଗ୍ରେସକୁ ଦୂରେଇ ପାରିବେନି”

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ: କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲେ ମଧ୍ୟ ସେ କଂଗ୍ରେସର ବିଚାରଧାରାରୁ କେବେହେଲେ ଦୂରେଇ ଯିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମୋକିମ କହିଛନ୍ତି ଯେ ତାଙ୍କ ଚିଠିକୁ ଗୁରୁତ୍ୱର ସହ ନେଇଥିବାରୁ ସେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛନ୍ତି ଏବଂ ପରବର୍ତ୍ତୀ ସମୟରେ କଂଗ୍ରେସ ଏ ଦିଗରେ ପଦକ୍ଷେପ ନେବ ବୋଲି ଆଶା କରୁଛନ୍ତି। ଦଳରେ ସୁଧାର ଆସିବ ବୋଲି ସେ ଆଶା କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ସ୍ୱୀକାର କରିଛନ୍ତି ଯେ ଯଦି ଦଳକୁ ଆଇନ ବିଷୟରେ ଦର୍ଶାଇବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ତେବେ ସେ ଏହାକୁ ଗ୍ରହଣ କରୁଛନ୍ତି।

ରାଜନୀତିକୁ କେବଳ ଏକ ମଞ୍ଚ ବୋଲି ଦର୍ଶାଇ ସେ କହିଛନ୍ତି ଯେ ସେ ୨୪ ଘଣ୍ଟା ସମାଜ ପାଇଁ କାମ କରିବେ ଏବଂ ତାଙ୍କର ରାଜନୈତିକ ଯାତ୍ରା ଆଗକୁ ଜାରି ରହିବ, ଏଥିରେ ବିରାମ ନାହିଁ।

ମୋକିମ ଆହୁରି ମଧ୍ୟ କହିଛନ୍ତି ଯେ ସେ ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କ ସହ ଆଲୋଚନା କରିବା ପରେ ହିଁ ନିଜର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ। ସେ ଉଲ୍ଲେଖ କରିଛନ୍ତି ଯେ ସେମାନେ ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଥିଲେ, ଯିଏ କୁହନ୍ତି କଂଗ୍ରେସ କାହାକୁ ଡରେ ନାହିଁ। ତେଣୁ ସେ କାହାକୁ ଭୟ ନ କରି ଦଳକୁ ଚିଠି ଲେଖିଥିଲେ, କିନ୍ତୁ ଏହାର ପ୍ରତିବଦଳରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଯାହା କହିଛନ୍ତି, ସେଥିପାଇଁ ତାଙ୍କର କୌଣସି ଅନୁଶୋଚନା ନାହିଁ ଏବଂ ସେ ଭାବୁଛନ୍ତି ଯେ ଏହି ଘଟଣା ଆଗାମୀ ଦିନରେ କଂଗ୍ରେସ ପାଇଁ ଭଲ ହେବ। ଏହି ବହିଷ୍କାର ପରେ ରାଜ୍ୟ ରାଜନୀତିରେ ମୋକିମଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories