କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦିଆଯାଇଛି। ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ ଏହାକୁ ବିରୋଧ କରିବାରୁ କିଛି ଦୁର୍ବୃତ୍ତ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ବିଧାୟକ ଶ୍ରୀ ବାଗ କଣ୍ଟାବାଞ୍ଜି ଜିଆରପି (GRP) ଥାନାରେ ଏତଲା ଦେଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ରାୟପୁର-ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ (Link Express) ଗାଡ଼ିରେ ବହୁ ସଂଖ୍ୟକ ଶ୍ରମିକଙ୍କୁ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା। ଏହି ସମୟରେ ବିଧାୟକ ଲକ୍ଷ୍ମଣ ବାଗ ଅଚାନକ ସେହି ଟ୍ରେନ ନିକଟରେ ପହଞ୍ଚିଥିଲେ। ଟ୍ରେନ ଯୋଗେ ଯାଉଥିବା ଶ୍ରମିକମାନଙ୍କୁ ଦେଖି ସେ ସେମାନଙ୍କୁ କୁଆଡେ ଯାଉଛନ୍ତି ବୋଲି ପଚାରିଥିଲେ। ଶ୍ରମିକମାନେ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ ବିଧାୟକ ସେମାନଙ୍କ ପାଖରେ ଟିକେଟ୍ ଅଛି କି ନାହିଁ ପଚାରିଥିଲେ। ପଚରାଉଚରା ସମୟରେ ହିଁ ଜଣାପଡିଥିଲା ଯେ ଶ୍ରମିକମାନେ ବେଆଇନ ଭାବେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି।
ବିଧାୟକ ତୁରନ୍ତ କଣ୍ଟାବାଞ୍ଜି ଟାଉନ ପୋଲିସ, ଜିଆରପି (GRP) ଏବଂ ଆରପିଏଫକୁ (RPF) ଖବର ଦେଇ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ଏହି ସମୟରେ, ମହମ୍ମଦ ଇମରାନ ଓରଫ ବଣ୍ଟି ଖାନ ଏବଂ ବଣ୍ଟି ବେହେରାଙ୍କ ସମେତ ଅନ୍ୟ ୬ ରୁ ଅଧିକ ଲୋକ ସେଠାରେ ପହଞ୍ଚିଥିଲେ। ସେମାନେ ବିଧାୟକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଖୋଲାଖୋଲି ଭାବେ ଧମକ ଦେଇଥିଲେ।
ବିଧାୟକ ଲକ୍ଷ୍ମଣ ବାଗ ତୁରନ୍ତ ଏହି ଘଟଣା ନେଇ କଣ୍ଟାବାଞ୍ଜି ଜିଆରପି ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଧାୟକଙ୍କୁ ହତ୍ୟା ଧମକ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।








