ଅନ୍ଧାରୁଆରେ ଆତଙ୍କ ସୃଷ୍ଟି କରି ବନ୍ଧା ହେଲେ ଯୁବକ, ଦୋକାନୀ ଓ ବିଲ୍ଡରଙ୍କଠାରୁ ଆଦାୟ କରୁଥିଲେ ଟଙ୍କା

ଅନ୍ଧାରୁଆରେ ଆତଙ୍କ ସୃଷ୍ଟି କରି ବନ୍ଧା ହେଲେ ଯୁବକ

ଭୁବନେଶ୍ବର: ଅନ୍ଧାରୁଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପଡ଼ିଲା ମହଙ୍ଗା । ଦୋକାନୀ ଓ ବିଲ୍ଡରଙ୍କଠାରୁ ଟଙ୍କା ଆଦାୟ କରି ଗିରଫ ହେଲେ ଯୁବକ । ଯୁବକ ଜଣଙ୍କ ହେଲେ ସନିଆ ଓରଫ ସନାତନ ବଳିୟାର ସିଂ । ଚନ୍ଦକା ଥାନା ପୋଲିସ ଅଭିଯୁକ୍ତ ସନିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଚନ୍ଦକା ଥାନା ଏସ୍.ଆଇ. ବିଜୟ କୁମାର ମାଝୀ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ, ଅଭିଯୁକ୍ତ ସନିଆ ଓରଫ ସନାତନ ବଳିୟାରସିଂ, ଚିକୁ ଓରଫ ଚିକୁନା ଦଳାଇ ଏବଂ ଆଶିଷ କୁମାର ରାୟ ଓରଫ ଆଶୁ ଖଣ୍ଡା ଧରି ଅନ୍ଧାରୁଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ସ୍ଥାନୀୟ ଦୋକାନୀ ଏବଂ ବିଲ୍ଡରଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଜଣ ବ୍ୟକ୍ତି ବଜାର ଅଞ୍ଚଳରେ ଥିବା ଦୋକାନୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ସେଠାରେ ଦୋକାନ ଚଳାଇବା ଲାଗି ଦାଦାବଟି ଦେବାକୁ ପଡ଼ିବ ବୋଲି ଧମକ ଦେଉଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ଦେଖି ସମସ୍ତେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତ ସନିଆକୁ ଧରିବାରେ ପୋଲିସ୍ ସଫଳ ହୋଇଛି । ପୋଲିସ ତା ନିକଟରୁ ଏକ ବଙ୍ଗାଳୀ କଟୁରୀ ଏବଂ ଏକ ମୋବାଇଲ ଫୋନ୍ ଜବତ କରିଛି । ପଚରାଉଚରାବେଳେ, ଅଭିଯୁକ୍ତ ତା’ର ଦୁଇ ସହଯୋଗୀଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳରୁ ଦାଦାବଟି ଆଦାୟ କରୁଥିବା ସ୍ବୀକାର କରିଛି ।

ଅଭିଯୁକ୍ତ ସନିଆ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାବେଳେ, ତା ନାରେ ଚନ୍ଦକା ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅପରାଧରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories