କଟକ: ଅସ୍ଥା, ଭକ୍ତିର ପ୍ରତୀକ ପ୍ରସିଦ୍ଧ ମା କଟକ ଚଣ୍ଡୀ। ହଜାରେ ବର୍ଷର ସହରର ଗରୀମାକୁ ଅଧିକରୁ ଅଧିକ ଗରିମାମୟ କରିଛନ୍ତି ରକ୍ଷାଦେବି ମା କଟକ ଚଣ୍ଡୀ। ମାଆଙ୍କ ପୀଠକୁ ନେଇ ଅନେକ ଅଦ୍ଭୁତ କାହାଣୀ ରହିଛି। ମାଆଙ୍କ ବିଭିନ୍ନ ପୀଠ ମଧ୍ୟରୁ କଟକ ଚଣ୍ଡୀଙ୍କ ପୀଠ ପ୍ରସିଦ୍ଧ। ବଙ୍କିର ମା ଚର୍ଚ୍ଚିକା, କାକଟପୁର ମଙ୍ଗଳା, ଯାଜପୁର ର ବିରଜା, ସମ୍ବଲପୁର ର ମାଆ ସମଲେଇ, କେନ୍ଦୁଝରର ଘଟଗାଁ ର ମା ତାରିଣୀ, ଜଗତସିଂହପୁରର ଝଙ୍କଡ଼ ଶାରଳା, ଗଞ୍ଜାମରେ ତାରାତାରିଣୀ, ବାଣପୁରରେ ମାଆ ଭଗବତୀ, ପୁରୀରେ ମା ବିମଳାଙ୍କ ପୀଠ ପ୍ରସିଦ୍ଧ। ମାଆଙ୍କ ମହିମା ଅପାର।
ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ। ଭକ୍ତି ଓ ବିଶ୍ବାସ ରେ ଯିଏ ମାଙ୍କୁ ସ୍ମରଣ କରେ କୃପା ମିଳେ। ମହାନଦୀ କାଠଯୋଡି ମଧ୍ୟ ସ୍ଥଳର ସହର କଟକ ଶେଖ୍ ବଜାର ଅଞ୍ଚଳରେ ମାଆ କଟକ ଚଣ୍ଡୀଙ୍କ ମନ୍ଦିର। କଟକ ମହା ନଗର ନିଗମ ର ୧୦ନମ୍ବର ୱାର୍ଡ ରେ ମାଆଙ୍କ ମନ୍ଦିର। ମାଆଙ୍କ ନିକଟକୁ ଆସିବାକୁ ଅଟୋ ବସ ସେବା ଉପଲବ୍ଧ। ଆପଣ ଯଦି ଟ୍ରେନ ରେ ଆସି କଟକ ରେଳ ଷ୍ଟେସନ ରେ ଓହ୍ଲାଇବେ ଷ୍ଟେସନ ରୁ ଆମ ବସ କିମ୍ବା ଅଟୋ ଯୋଗେ ସିଧା ମାଆଙ୍କ ମନ୍ଦିର ନିକଟକୁ ଆସି ପାରିବେ। ନେତାଜୀ ବସ ଟ୍ରମିନାଲକୁ ଆସିଲେ ସେଠୁ ମଧ୍ୟ ଆମ ବସ ଓ ଅଟୋ ସେବା ରହିଛି। ବାରବାଟୀ ଷ୍ଟାଡିୟମ୍, ଶୈଳବାଳା ମହିଳା ମହାବିଦ୍ୟାଳୟ ପାଖାପାଖି ମାଆଙ୍କ ମନ୍ଦିର। ସବୁଦିନ ଲାଗେ ଗହଳି ଚହଳି। ହେଲେ ମାଆଙ୍କ ମନ୍ଦିରରେ ଅଧିକ ଭକ୍ତଙ୍କ ଗହଳି ହୁଏ ଗୁରୁବାରରେ। ପୂଜାପାଠ, ମନ୍ତ୍ର ଧ୍ଵନିରେ ପୁରା ପରିବେଶରେ ଧର୍ମମୟ ହୋଇ ଉଠିଛି। ସାହି, ଭାଇଚାରା ହଜାରେ ବର୍ଷର ସହରରେ ମାଆଙ୍କ ପୀଠ ସହରର ରକ୍ଷା କବଚ।
ନବରାତ୍ରି, ଦୁର୍ଗାପୂଜାରେ ମାଆଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା, ବେଶ। ଷୋଡ଼ଶ ଉପଚାର ଓ ନୂଆ ବେଶରେ ମାଆଙ୍କୁ ଦର୍ଶନ କରନ୍ତି ଶ୍ରଦ୍ଧାଳୁ। ଏବେ ବଦଳୁଛି ମାଆଙ୍କ ମନ୍ଦିର ପରିବେଶ। କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଛି ମାଆଙ୍କ ମନ୍ଦିର ଉନ୍ନତିକରଣ କାମ। ଆସନ୍ତା ବର୍ଷ କାମ ସରିବା ନେଇ ଲକ୍ଷ୍ୟ ଧର୍ଯ୍ୟ କରିଛନ୍ତି ସରକାର। ମାଆଙ୍କ ମହିମା ଓ ମନ୍ଦିରକୁ ନେଇ ଅନେକ ପୁରାଣ ଓ ପୁରୁଣା କଥା ରହିଛି। ଭକ୍ତି ଓ ବିଶ୍ବାସ ରେ ମାଆଙ୍କ ନିକଟରେ ସମର୍ପିତ ହେଲେ ବିପଦ ଦୂରେଇ ଯାଏ।







