ଧାନ ଖଳାରେ ହାଡ଼ ଭଙ୍ଗା ଶୀତରେ ଜଗିଛି ଚାଷୀ: ଟୋକନ ଅଭାବରୁ ଅସନ୍ତୋଷ, ସୀମାନ୍ତରେ ଦଲାଲଙ୍କ କାରବାର

ଧାନ ଖଳାରେ ହାଡ଼ ଭଙ୍ଗା ଶୀତରେ ଜଗିଛି ଚାଷୀ

କଳାହାଣ୍ଡି: ଓଡ଼ିଶାରେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ ହେବା ଏବଂ ଟୋକନ ବଣ୍ଟନରେ ଅନିୟମିତତା ଯୋଗୁଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ପ୍ରବଳ ହାଡ଼ ଭଙ୍ଗା ଶୀତରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ ଫସଲକୁ ଖଳାରେ ଜଗି ରହିବାକୁ ବାଧ୍ୟ ହେଉଛି।

କଳାହାଣ୍ଡି ଜିଲ୍ଲା ରେ ଗତ ନଭେମ୍ବର ୨୯ ତାରିଖରେ ଖରିଫ ଋତୁ ପାଇଁ ମଣ୍ଡି ପ୍ରଶାସନ ପକ୍ଷରୁ ମଣ୍ଡି ଉଦ୍‌ଘାଟନ କରାଯାଇଥିଲେ ମଧ୍ୟ ବହୁ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ଟୋକନ ଆସିନାହିଁ। ଫଳରେ ଚାଷୀମାନେ ନିଜ ଧାନକୁ ବିକ୍ରି କରିପାରୁ ନାହାନ୍ତି। ଧର୍ମଗଡ଼ ଉପଖଣ୍ଡର ଜୁନାଗଡ଼ ଆର୍‌ଏମ୍‌ସି ଅଧୀନରେ ଥିବା ଗୋଲାମୁଣ୍ଡା ବ୍ଲକରେ ୧୬ଟି, ଧର୍ମଗଡ଼ ବ୍ଲକରେ ୨୧ଟି ଏବଂ ଜୁନାଗଡ଼ ବ୍ଲକରେ ୪୨ଟି ମଣ୍ଡି ଖୋଲାଯିବାକୁ ଯୋଜନା ରହିଛି। ସେହିପରି ୧୯ଟି ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ଏବଂ ୫୫ଟି ପ୍ୟାକ୍ସ (PACS) ମଣ୍ଡିରେ ଧାନ କିଣିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର ବାସ୍ତବରେ ମଣ୍ଡି ଆରମ୍ଭ ହୋଇ ନଥିବାରୁ ଚାଷୀମାନେ ପ୍ରବଳ ଶୀତରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟପଟେ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବ୍ଲକଗୁଡ଼ିକରେ ଆସନ୍ତା ଡିସେମ୍ବର ୨୦ ପରେ ଲ୍ୟାମ୍ପ୍‌ସ ମଣ୍ଡିଗୁଡ଼ିକ ଖୋଲିବାକୁ ଯାଉଛି। ପଞ୍ଜିକୃତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଆସନ୍ତା ୩/୪ ଦିନ ମଧ୍ୟରେ ଟୋକନ୍ ମିଳିବ ବୋଲି ସୂଚନା ମିଳିଛି। ବିଶୃଙ୍ଖଳା ଏଡ଼ାଇବା ପାଇଁ ଜଣେ ଲେଖାଏଁ ମନ୍ତ୍ରୀ ମଣ୍ଡି ପରିଚାଳନା ତଦାରଖ କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିବର୍ଷ ପରି ଏଥର ମଧ୍ୟ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି। ଚାଷୀଙ୍କ ଜରିଆରେ ଧାନ ବିକିବାକୁ ସେମାନେ ନିଜ ନିଜ ଗୋଦାମରେ ଝାଡ଼ଖଣ୍ଡ ଧାନ ଗଚ୍ଛିତ କରିବାରେ ଲାଗିଛନ୍ତି। କିଛି ଦଲାଲ ରାଇସ୍‌ ମିଲ୍‌ରେ ମଧ୍ୟ ଧାନ ଗଦା କରି ରଖିଲେଣି।

ଦଲାଲମାନେ ଝାଡ଼ଖଣ୍ଡର ହୁର୍ଦ୍ଦା, ମନୋହରପୁର, ଓଡ଼ଗାଁ, ପାନିଆସାଲ, ବାଉଁଶଜୋର ଭଳି ସୀମାନ୍ତ ବଜାର ଓ ଗାଁର ଆଦିବାସୀ ଚାଷୀଙ୍କୁ ଲୋଭ ଦେଖାଇ କ୍ୱିଣ୍ଟାଲ ପିଛା ୨ ହଜାରରୁ ୨୨୦୦ ଟଙ୍କାରେ ଧାନ କିଣି ଆଣୁଛନ୍ତି। ଧରା ନପଡ଼ିବା ପାଇଁ ସେମାନେ ଟ୍ରକ୍ ବଦଳରେ ପିକ୍‌ଅପ୍‌ (ଟାଟା ଏସି) ବ୍ୟବହାର କରୁଛନ୍ତି।

ଓଡ଼ିଶାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦେଇ ନ ଆସି ଦଲାଲମାନେ ଗଳାବାଟ ଦେଇ ବିଶ୍ରା, ନୂଆଗାଁ, ହାତୀବାରି, ସୋରଡ଼ା, ବଡ଼ାଜୋଜୋଦା, ଖୁଣ୍ଟଗାଁ, ବାରିବେଡ଼ା ଏବଂ କୁଆରମୁଣ୍ଡା ଭଳି ଅଞ୍ଚଳରେ ଝାଡ଼ଖଣ୍ଡର ଧାନ ପହଞ୍ଚାଉଛନ୍ତି। ବିଳମ୍ବିତ ରାତି ଓ ଭୋର୍ ସମୟରେ ଟାଟା ଏସିରେ ଶହଶହ କ୍ୱିଣ୍ଟାଲ ଝାଡ଼ଖଣ୍ଡ ଧାନ ଓଡ଼ିଶା ଭିତରକୁ ଆସି ସିଧାସଳଖ ରାଇସ୍‌ ମିଲ୍‌ ଏବଂ ଦଲାଲଙ୍କ ଗୋଦାମରେ ପଶୁଛି।

ଗତବର୍ଷ ଓଡ଼ିଶାର ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (MSP) 3100 ଟଙ୍କା ଥିଲା। ଏଥର ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା 3169 ଟଙ୍କାରେ ଧାନ କିଣିବାକୁ ଯାଉଛନ୍ତି।

ଦଲାଲମାନେ ଝାଡ଼ଖଣ୍ଡରୁ ମାତ୍ର 2000 ଟଙ୍କାରେ ଧାନ କିଣି ଓଡ଼ିଶା ମଣ୍ଡିରେ 3169 ଟଙ୍କାରେ ବିକିବାକୁ ଯୋଜନା କରିଛନ୍ତି, ଯାହାକି କ୍ୱିଣ୍ଟାଲ ପିଛା 1000 ଟଙ୍କାରୁ ଅଧିକ ଲାଭ। ନୂଆଗାଁ, କୁଆରମୁଣ୍ଡା, ବିଶ୍ରା ଏବଂ ଲାଠିକଟା ବ୍ଲକର ଯେଉଁ ଚାଷୀମାନେ ଗୋଟିଏ ଟୋକନ୍‌ରେ 10ରୁ 50 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ବିକୁଥିବେ, ଦଲାଲମାନେ ସେମାନଙ୍କୁ ଲକ୍ଷ୍ୟ କରିଛନ୍ତି। ସେମାନେ ଏହି ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା 200ରୁ 300 ଟଙ୍କା କମିସନ୍ ଦେବାର ଲୋଭ ଦେଖାଇ ସେମାନଙ୍କ ଟୋକନ୍‌ରେ ଝାଡ଼ଖଣ୍ଡ ଧାନ ବିକିବାକୁ ଚେଷ୍ଟା କରୁଛନ୍ତି।

ଚାଷୀଙ୍କ ଦାବି:

କିଛି ଓଡ଼ିଶା ଓ ଝାଡ଼ଖଣ୍ଡ ଦଲାଲ ମିଶି କମ୍ ଧାନ ଥିବା ଚାଷୀମାନଙ୍କ ତାଲିକା ପ୍ରସ୍ତୁତ କରିସାରିଛନ୍ତି ଏବଂ ଟୋକନ୍ ମିଳିବା ପୂର୍ବରୁ ସେମାନଙ୍କୁ ଆଗ୍ରିମ ମଧ୍ୟ ଦେଇସାରିଲେଣି। ଗତବର୍ଷ ଯୋଗାଣ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ଧାନ ଜବତ କରିଥିଲା। ତେଣୁ ମଣ୍ଡି ଖୋଲିବା ପୂର୍ବରୁ ପୁଣି ଥରେ ରାଇସ୍‌ ମିଲ୍‌ ଓ ଦଲାଲଙ୍କ ଗୋଦାମ ଉପରେ ଚଢ଼ାଉ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଯଦି ଏହା ନହୁଏ, ତେବେ କିଛି ପ୍ରକୃତ ଚାଷୀ ଟୋକନ୍ ପାଇଥିଲେ ମଧ୍ୟ ସେମାନଙ୍କର ସମସ୍ତ ଧାନ ବିକ୍ରି ହୋଇପାରିବ ନାହିଁ ବୋଲି ଆଶଙ୍କା କରାଯାଉଛି

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories