‘କେବେ ବିକିବୁ ଧାନ?’ ଟୋକନ୍‌ ପାଇଁ ରାଜରାସ୍ତାରେ ଚାଷୀଙ୍କ ହାହାକାର, ଅଚଳ ହେଲା ସମ୍ବଲପୁର

‘କେବେ ବିକିବୁ ଧାନ?' ଟୋକନ୍‌ ପାଇଁ ରାଜରାସ୍ତାରେ ଚାଷୀଙ୍କ ହାହାକାର, ଅଚଳ ହେଲା ସମ୍ବଲପୁର

ସମ୍ବଲପୁର: ଧାନ ବିକ୍ରି ପାଇଁ ଟୋକନ୍‌ ଆସିବାରେ ବିଳମ୍ବ ଓ ଅବ୍ୟବସ୍ଥାକୁ ନେଇ ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ଆଜି ଜିଲ୍ଲାର ତିନୋଟି ପ୍ରମୁଖ ସ୍ଥାନ – ରେମେଡ୍, ସିନ୍ଦୁରପଙ୍କ ଏବଂ ଧମା ଠାରେ ଶତାଧିକ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି।  ଟୋକନ୍‌ ସମସ୍ୟା ଯୋଗୁଁ ହଜାର ହଜାର କ୍ୱିଣ୍ଟାଲ୍ ଧାନ ବିକ୍ରି ନହୋଇ ମଣ୍ଡି ଏବଂ ଖୋଲା ଆକାଶ ତଳେ ପଡ଼ି ରହିଥିବାରୁ ଚାଷୀମାନେ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଏବଂ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି।

ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୬୦ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ପ୍ରାୟ ୧୯ ହଜାର ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ଟୋକନ୍ ମିଳିନାହିଁ। ଯେଉଁ ଚାଷୀଙ୍କୁ ପ୍ରଥମ ଟୋକନ୍‌ ମିଳିଛି, ସେମାନଙ୍କର ଧାନ ଉଠାଣରେ ବିଳମ୍ବ ହେବା ସହ ଦ୍ୱିତୀୟ ପର୍ଯ୍ୟାୟ ଟୋକନ୍‌ ଆସିବାରେ ମଧ୍ୟ ଅହେତୁକ ବିଳମ୍ବ ହେଉଛି। ଫଳରେ ଚାଷୀମାନେ ନିଜର ଉତ୍ପାଦିତ ଧାନ ବିକ୍ରି କରିବାରେ ଅନିଶ୍ଚିତତା ଦେଖାଦେଇଛି। ଶୀତ ବଢୁଥିବା ଏବଂ ଅଦିନିଆ ବର୍ଷା ଆଶଙ୍କା ଥିବାରୁ ଧାନ ଖରାପ ହୋଇଯିବାର ଭୟ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଅନେକ ସ୍ଥାନରେ ମଣ୍ଡି ଖୋଲିବାର ଦୀର୍ଘ ଦିନ ପରେ ବି ଧାନ କିଣା ଆରମ୍ଭ ହୋଇନଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଧାନ ସଂଗ୍ରହରେ ଟୋକନ୍‌ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ହିଁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। ପୂର୍ବରୁ ମଧ୍ୟ ଅନେକ ସମୟରେ ଟୋକନ୍‌ ସମସ୍ୟା ଓ ମିଲର୍‌ଙ୍କ ଦ୍ୱାରା ଧାନ କଟନୀ-ଛଟନୀକୁ ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିବାର ନଜିର ରହିଛି। ଗତ କିଛି ଦିନ ତଳେ ମଧ୍ୟ ସିନ୍ଦୁରପଙ୍କ ଠାରେ ଚାଷୀମାନେ ଧାନ କିଣାରେ ବିଳମ୍ବ ଯୋଗୁଁ NH-53 ଅବରୋଧ କରି ୧୦ ଘଣ୍ଟା ଧରି ଆନ୍ଦୋଳନ କରିଥିଲେ ଏବଂ ରାସ୍ତାରେ ରୋଷେଇ କରି ଅଭିନବ ପ୍ରତିବାଦ ମଧ୍ୟ କରିଥିଲେ। ପ୍ରଶାସନ ପକ୍ଷରୁ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନଥିବାରୁ ଆଜି ପୁଣି ଥରେ ଆନ୍ଦୋଳନ ତୀବ୍ର ରୂପ ନେଇଛି।

ଚାଷୀମାନେ ସମସ୍ତ ପଞ୍ଜୀକୃତ ଚାଷୀଙ୍କୁ ତୁରନ୍ତ ଟୋକନ୍‌ ପ୍ରଦାନ କରିବା ଏବଂ ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ରାଜପଥ ଅବରୋଧ ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories