ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଧାନ କିଣା ପ୍ରକ୍ରିୟା ଏବେ ସଂପୂର୍ଣ୍ଣ ବାଟବଣା ହୋଇଛି। ମଣ୍ଡି ଖୋଲିବାର ପ୍ରାୟ ୨୫ ଦିନ ବିତିଯାଇଥିଲେ ମଧ୍ୟ ଚାଷୀମାନଙ୍କ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ପ୍ରଶାସନର ପ୍ରତିଶ୍ରୁତି ସତ୍ତ୍ୱେ ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏଁ ଟୋକନ ପହଞ୍ଚି ନାହିଁ। ଯେଉଁ କେତେଜଣ ଚାଷୀ ଟୋକନ ପାଇଛନ୍ତି, ସେମାନଙ୍କର ଧାନ ବିକ୍ରି ପରିମାଣ କମାଇ ଦିଆଯାଇଥିବା ବେଳେ ମଣ୍ଡିକୁ ଧାନ ନେବା ପାଇଁ ଜାନୁଆରୀ ମାସ ଧାର୍ଯ୍ୟ ହୋଇଛି। ଏଭଳି ସ୍ଥିତିରେ ଚାଷୀମାନେ ନିଜର ଅମଳ ଧାନକୁ ଖୋଲା ଆକାଶ ତଳେ, ରାସ୍ତା କଡ଼ରେ ଓ ଖଳାରେ ଗଦା କରି ରଖିଛନ୍ତି। ହାଡ଼ଭଙ୍ଗା ଶୀତ କାକରରେ ଚାଷୀ ନିଜ ଧାନକୁ ଜଗି ରହିଥିବା ବେଳେ ପ୍ରଶାସନିକ ଅବ୍ୟବସ୍ଥା ଚାଷୀଙ୍କୁ ହତାଶ କରିଛି।
ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯିବ ବୋଲି ଚାଷୀଙ୍କୁ ଆଶ୍ୱାସନା ଦିଆଯାଇଥିଲା। ବିଶେଷ କରି ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିଯିବ ବୋଲି ପ୍ରଶାସନିକ ପ୍ରତିଶ୍ରୁତି ମିଳିଥିଲା। ଏଥିସହିତ ସମବାୟ ସମିତିଗୁଡ଼ିକ ଜରିଆରେ ସ୍ୱଚ୍ଛତାର ସହ ଧାନ କିଣାଯିବ ବୋଲି କୁହାଯାଇଥିଲା। ଏହି ଆଶାରେ ଚାଷୀମାନେ ଅତି ଉତ୍ସାହର ସହ ଅମଳ କାର୍ଯ୍ୟ ଶେଷ କରିଥିଲେ।
ସାଂପ୍ରତିକ ସୂଚନା ଅନୁଯାୟୀ, ପଦ୍ମପୁର ଉପଖଣ୍ଡର ୯୨ଟି ମଣ୍ଡିରେ ଏବେ ପ୍ରାୟ ୬ ଲକ୍ଷ ୫୪ ହଜାର ୮୪୯ ପ୍ୟାକେଟ ଧାନ ପଡ଼ି ରହିଛି। ବିଶେଷ କରି ପାଇକମାଳ ବ୍ଲକର ଧାରୋଲ, ଲଖମରା, ବୁକୁରାମୁଣ୍ଡା ଓ ଝିଟିକି ଲଖମରା ଭଳି ଉପାନ୍ତ ଅଞ୍ଚଳର ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ଜମା ହୋଇ ରହିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ମିଲର୍ସମାନେ ଠିକ୍ ଭାବେ ଧାନ ଉଠାଉ ନାହାନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୮,୯୮୫ ଜଣ ଚାଷୀଙ୍କଠାରୁ ୩ ଲକ୍ଷ ୯୪ ହଜାର ୭୯୯ ପ୍ୟାକେଟ ଧାନ କିଣାଯାଇଛି ବୋଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂଚନା ଦେଇଛନ୍ତି। ଟୋକନ ନ ପାଇବା କାରଣରୁ ଚାଷୀମାନେ ବାରମ୍ବାର ସମବାୟ ସମିତି କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି, କିନ୍ତୁ କିଛି ସୁଫଳ ମିଳୁନାହିଁ। ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଏହି ଅବ୍ୟବସ୍ଥାକୁ ତୀବ୍ର ନିନ୍ଦା କରାଯାଇଛି। ସରକାରଙ୍କ ହେଲ୍ପଲାଇନ ନମ୍ବର (୧୯୬୭) ରୁ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳୁନଥିବାରୁ ଚାଷୀକୂଳ ଏବେ ଚିନ୍ତାରେ ଅଛନ୍ତି।








