ଢେଙ୍କାନାଳ: ରାତିର ଖାଦ୍ୟ ସାଜିଲା କାଳ। ଖାଦ୍ୟରେ ବିଷକ୍ରିୟା କାରଣରୁ ଚାଲିଗଲା ତିନି ତିନିଟି ଅମୂଲ୍ୟ ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗାଁରେ। ମୃତକମାନେ ହେଉଛନ୍ତି ସେହି ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ପୁଅ ପିଣ୍ଟୁ ଓ ଲିଣ୍ଟୁ।
ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ପାଳଙ୍ଗ ଶାଗ ଏବଂ ଚିକେନ ତରକାରୀ ଖାଇଥିଲେ। ଖାଇବା ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାକୁ ଲାଗିଥିଲା। ସୋମବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ ଘରର କବାଟ ନଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ଭାଙ୍ଗି ଭିତରକୁ ଯିବା ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ।
ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କାନ୍ଦବୋବାଲ ଛୁଟିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏହି ମୃତ୍ୟୁ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଥିଲେ ମଧ୍ୟ, ଶାଗ କିମ୍ବା ଚିକେନରେ କେଉଁଠୁ ବିଷ ଆସିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣାସ୍ଥଳରେ କଣ୍ଟାବଣିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଗୋଟିଏ ପରିବାରର ତିନି ଜଣଙ୍କ ଏଭଳି ଅକାଳ ବିୟୋଗ ଘଟଣା ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି।








