ଭୁବନେଶ୍ବର: ରାଜ୍ୟରେ ଏବେ ଆଉ ପାଗ ଅନୁକୁଳ ରହୁନି । ୧୨ ମାସରୁ ୭ ମାସ ବର୍ଷାରେ ଭିଜୁଛି, ତଥାପି ପାଗ ଉଷ୍ମ । ବର୍ଷା ହେଉଥିଲେ ବି ପାଗ ଥଣ୍ଡା ହେଉନି, ୬ ଋତୁ ଭିତରୁ ଶରତ ଆଉ ହେମନ୍ତ କେବେଠୁ ଗାଏବ୍ ହୋଇଗଲେଣି । ଏ ଦୁଇ ଋତୁରେ ମୌସୁମୀ କେମିତି ରୁହେ, ସେ ଅନୁଭବ ଏବେର ଯୁବପିଢିଙ୍କୁ ଅଛପା । ତେବେ ଏସବୁ ପରିବର୍ତ୍ତିତ ପାଣିପାଗ ପାଇଁ ବିଶେଷଜ୍ଞମାନେ ଶିଳ୍ପ, ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି ଏବଂ ଜଙ୍ଗଲ କାଟକୁ ଦାୟୀ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜଙ୍ଗଲ ସୁରକ୍ଷା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ରାମ ଚନ୍ଦ୍ର କାଡାମ୍ ।
ବିଧାୟକ ପ୍ରଶ୍ନ କରିଛନ୍ତି ଯେ, ଓଡ଼ିଶାରେ ସର୍ବମୋଟ କେତେ ପରିମାଣର ଜଙ୍ଗଲ ଅଛି, ଗତ ଜୁଲାଇ ୨୦୨୪ରୁ ଆଜି ପର୍ଯ୍ୟନ୍ତ କେଉଁ କେଉଁ ଜଙ୍ଗଲରେ ନିଆଁଲାଗି କେତେ ପରିମାଣର ଜଙ୍ଗଲ ନଷ୍ଟ ହୋଇଛି. ଏହା ଫଳରେ କଣ ସବୁ କ୍ଷତିଗ୍ରସ୍ତ ହୋଇଛି, ପଶୁପକ୍ଷୀ ତଥା ଅନ୍ୟ ବନ୍ୟଜନ୍ତୁଙ୍କ କେତେ ଜୀବନ ଯାଇଛି ଏବଂ ଯେଉଁସବୁ ଜଙ୍ଗଲ ନଷ୍ଟ ହୋଇଛି ତାର ପ୍ରତିବଦଳରେ ନୂଆ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିବେ କି ବୋଲି କହିଥିଲେ ।
ଜବାବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯେଉଁ ଉତ୍ତର ଦେଇଛନ୍ତି ତାହା ଉଦବେଗ ଜନକ । ଜଳବାୟୁ ପରିବର୍ତ୍ତନ ସମୟରେ ରାଜ୍ୟର ହେକ୍ଟର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି ।
ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ, ଗତ ୧୭ ମାସରେ ରାଜ୍ୟରେ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛଇ । ୨୦୨୪ରୁ ଏହି ଅବସ୍ଥା ଘଟିଛି । ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବନାଗ୍ନି ଯେହେତୁ ଭୂପୃଷ୍ଠିୟ, ସେହେତୁ କେବଳ ଗୁଳ୍ମଜାତୀୟ ବୃକ୍ଷ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଋତୁରେ ଏସବୁ ଗଛ ପୁର୍ନଜୀବିତ ହୋଥାଏ । ଏହି ବନାଗ୍ନି ଦ୍ୱାରା ପଶୁ, ପକ୍ଷୀ କିମ୍ୱା ଅନ୍ୟ ଜୀବଜନ୍ତୁଙ୍କ ଜୀବନ ହାନୀର କୌଣସି ସୂଚନା ନାହିଁ ।
ସମଗ୍ର ରାଜ୍ୟରେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୩0 ହଜାର ୯୨୧ ହେକ୍ଟର ଜଙ୍ଗଲ ଜମିରେ ୧୯7 ଲକ୍ଷ ଚାରା ଓ ୨୦୨୫-2୬ ଆର୍ଥିକ ବର୍ଷରେ ୨୫ ହଜାର ୯୫୯ ହେକ୍ଟର ଜଙ୍ଗଲ ଜମିରେ ୨0୫ ଲକ୍ଷ ଚାରା ରୋପଣ କରାଯାଇଛି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକିବା ପାଇଁ AI ଇନଷ୍ଟଲ୍ କରାଯାଇଛି । ଜଙ୍ଗଲ ନିଆଁକୁ ଜିପିଏସ୍ ଟ୍ରାକିଂ କରୁଛି । ଜୀବଜନ୍ତୁ ମୃତ୍ୟୁ ହାର ଏବଂ ଘଞ୍ଚ ଜଙ୍ଗଲରେ ନିଆଁ ଲାଗିବା କମିଥିବା ମନ୍ତ୍ରୀ କହିଛନ୍ତି ।








