ଆନ୍ତର୍ଜାତିକ ରାଜନୀତି ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦୁର୍ନୀତି ସମ୍ପର୍କୀତ ଏକ ମାମଲାରେ ବାଂଲାଦେଶ କୋର୍ଟ ତାଙ୍କୁ ୨୧ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ ଅନ୍ୟ ଏକ ମାମଲାରେ ମୃତ୍ୟୁଦଣ୍ଡ ମିଳିବା ପରେ ଏବେ ଏହି ଜେଲ୍ ଦଣ୍ଡ ତାଙ୍କ ପାଇଁ ଏକ ଅଧିକ ବଡ଼ ସଙ୍କଟ ସୃଷ୍ଟି କରିଛି।
ସୂଚନା ମୁତାବକ, କୋର୍ଟ ବର୍ତ୍ତମାନ ଅନ୍ୟ ତିନୋଟି ଦୁର୍ନୀତି ମାମଲାର ଶୁଣାଣି କରି ଶେଖ୍ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଏହି ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଏହା ହାସିନାଙ୍କ ବିରୁଦ୍ଧରେ ପ୍ରଥମ କଠୋର କାର୍ଯ୍ୟାନୁଷ୍ଠାନ ନୁହେଁ। ପୂର୍ବରୁ ୨୦୨୪ ମସିହାରେ ବାଂଲାଦେଶରେ ହୋଇଥିବା ବ୍ୟାପକ ଛାତ୍ର ଆନ୍ଦୋଳନ (Student Movement) ସମ୍ପର୍କୀତ ଏକ ମାନବାଧିକାର ମାମଲାରେ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଅଭିଯୋଗ ରହିଥିଲା ଯେ ଏହି ଆନ୍ଦୋଳନ ସମୟରେ ନିରୀହ ଛାତ୍ରମାନଙ୍କ ଉପରେ ଗୁଳି ଓ ବୋମାମାଡ଼ କରିବାକୁ ଶେଖ୍ ହାସିନା ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣି ପରେ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
ତେବେ ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଶେଖ୍ ହାସିନା ଭାରତରେ ଅଛନ୍ତି। ଯେପର୍ଯ୍ୟନ୍ତ ସେ ସ୍ୱଇଚ୍ଛାରେ ବାଂଲାଦେଶକୁ ପ୍ରତ୍ୟାବର୍ତ୍ତନ କରିନାହାନ୍ତି, ସେପର୍ଯ୍ୟନ୍ତ ବାଂଲାଦେଶ ସରକାର ତାଙ୍କ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ବାଂଲାଦେଶର ରାଜନୈତିକ ଇତିହାସରେ କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ଭିନ୍ନ ମାମଲାରେ ଏପରି କଠୋର ଦଣ୍ଡାଦେଶ ଦିଆଯିବା ବଡ଼ ଘଟଣା।
ଶେଖ୍ ହାସିନାଙ୍କ ଏହି ଜେଲ୍ ଦଣ୍ଡାଦେଶ ବାଂଲାଦେଶ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି ଏବଂ ଆଗାମୀ ଦିନରେ ଏହି ଘଟଣା ଦୁଇ ଦେଶର କୂଟନୈତିକ ସମ୍ପର୍କ ଉପରେ କି ପ୍ରଭାବ ପକାଇବ, ତାହା ଦେଖିବାକୁ ବାକି ରହିଲା।








