ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ପୁଣି ଥରେ ଦଳୀୟ କନ୍ଦଳ ମୁଣ୍ଡ ଟେକିଛି। ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଖୋଲାଖୋଲି ଭାବେ ପିସିସି (ପ୍ରଦେଶ କଂଗ୍ରେସ କମିଟି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ମୋକିମ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ମୋକିମ ପ୍ରଶ୍ନ କରିଛନ୍ତି ଯେ, ଯିଏ ତିନି ଥର ଲୋକସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି, ତାଙ୍କୁ ୨୦୨୫ ମସିହାରେ କିପରି ରାଜ୍ୟ କଂଗ୍ରେସର ନେତୃତ୍ୱ ଦିଆଗଲା? ଭକ୍ତ ଦାସଙ୍କ ବ୍ୟକ୍ତିଗତ ବିଚାରଧାରା କଂଗ୍ରେସର ମୂଳ ନୀତିଠାରୁ ପୂରା ଅଲଗା ବୋଲି ସେ ଅଭିଯୋଗ କରିଛନ୍ତି। ଜୟପ୍ରକାଶଙ୍କ ଆନ୍ଦୋଳନ ସମୟରେ ଭକ୍ତ ଦାସ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିବା ଘଟଣାକୁ ମଧ୍ୟ ମୋକିମ ଦୋହରାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭକ୍ତ ଦାସ ଏବଂ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ ବୋଲି ମୋକିମ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନିକଟରେ ଶେଷ ହୋଇଥିବା ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ୮୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲା। ନୂଆପଡ଼ା ଭକ୍ତ ଦାସଙ୍କ ସଂସଦୀୟ କ୍ଷେତ୍ର ହୋଇଥିବା ସତ୍ତ୍ୱେ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ମୋକିମ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ନେତାଙ୍କୁ ନିଜ ସଂସଦୀୟ କ୍ଷେତ୍ରର ଭୋଟର ବିଶ୍ୱାସ କରୁନାହାନ୍ତି, ତାଙ୍କୁ କର୍ମୀ ବିଶ୍ୱାସ ନକରିବା ସ୍ୱାଭାବିକ। ଓଡ଼ିଶାରେ କଂଗ୍ରେସକୁ ଭକ୍ତ ଦାସଙ୍କ ନେତୃତ୍ୱ ଅସମ୍ଭବ ବ୍ୟାପାର ବୋଲି ସେ ମତ ଦେଇଛନ୍ତି।
କେବଳ ଭକ୍ତ ଦାସ ନୁହନ୍ତି, ମୋକିମ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ୍ ପାଇଥିଲା। ଏହା ସହିତ ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ ବୋଲି ସେ ଦର୍ଶାଇଛନ୍ତି।
ମୋକିମ ସ୍ପଷ୍ଟ କରିଛନ୍ତି ଯେ ଆଜିର ପରିସ୍ଥିତିରେ କଂଗ୍ରେସକୁ ପୁନର୍ଜୀବନ ଦରକାର। ଏଥିପାଇଁ ପାରଦର୍ଶିତା ଏବଂ ଯୋଗ୍ୟତା ଆଧାରରେ ନୂତନ ନିଯୁକ୍ତି ସହ ଯୁବ ଓ ଦକ୍ଷ ନେତୃତ୍ୱର ଆବଶ୍ୟକତା ରହିଛି। ମୋକିମଙ୍କ ଏହି ଖୋଲା ବିଦ୍ରୋହ ପରେ ଓଡ଼ିଶା କଂଗ୍ରେସରେ ପୁଣି ଥରେ ବଡ଼ ଧରଣର ଅସ୍ଥିରତା ଦେଖାଦେଇଛି।








