କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ; ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପଡ଼ିଲା ମହଙ୍ଗା

କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ; ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପଡ଼ିଲା ମହଙ୍ଗା

ଭୁବନେଶ୍ବର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି ବୋଲି ସୂଚନା ମିଳିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ଅନୁମୋଦନ କରିବା ପରେ ଏହି ବହିଷ୍କାର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ମୋକିମ ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ସହ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ, ଯାହା ତାଙ୍କ ବହିଷ୍କାରର ମୁଖ୍ୟ କାରଣ ପାଲଟିଛି।

ମୋକିମଙ୍କ ଏହି କାର୍ଯ୍ୟକଳାପକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ନୂଆଦିଲ୍ଲୀରେ ମୁହଁ ଖୋଲିଥିଲେ। ସେ କହିଥିଲେ, ଯେଉଁମାନେ ବିଜେପି (ଭାଜପା) ସମ୍ପର୍କରେ ଅଛନ୍ତି, ସେମାନେ ଶୀଘ୍ର ଦଳ ଛାଡ଼ି ଚାଲିଯିବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାର୍ଗେ ଦଳକୁ ଆଗକୁ ନେଉଛନ୍ତି। ଏପରି ସମୟରେ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଆଦୌ ଠିକ୍ ନୁହେଁ।

ଅନ୍ୟପକ୍ଷରେ, ଦଳରୁ ବହିଷ୍କୃତ ହେବା ପୂର୍ବରୁ ମହମ୍ମଦ ମୋକିମ କହିଥିଲେ ଯେ, ସେ କାହା ବିରୋଧରେ କିଛି କହିବେ ନାହିଁ। ମାତ୍ର ସେ ଏହା ସ୍ପଷ୍ଟ କରିଥିଲେ ଯେ, ସେ ‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛନ୍ତି’ ଏବଂ ‘ଯାହା କରୁଛି ସବୁ ଭୁଲ ଓ ଠିକ୍ ମୋର’। ମୋକିମ ବାରମ୍ବାର ନିର୍ବାଚନରେ ହାରୁଥିବା ବରିଷ୍ଠ ନେତାମାନଙ୍କୁ ତୁରନ୍ତ ପଦପଦବୀ ତ୍ୟାଗ କରି ‘ମାର୍ଗଦର୍ଶକ’ର ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେ ଜୋର ଦେଇ କହିଥିଲେ ଯେ, ଯୁବକମାନଙ୍କୁ ନେତୃତ୍ୱ ଦେବା ପାଇଁ ବାଟ ଛାଡ଼ି ଦିଆଯାଉ। କଂଗ୍ରେସକୁ ପୁନର୍ଜୀବନ ଦେବାକୁ ହେଲେ ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହିତ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି।

ମୋକିମ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ କଡ଼ା ସମାଲୋଚନା କରି କହିଥିଲେ ଯେ, ତିନି ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ରେ ନେତୃତ୍ୱ ମିଳିଛି। ତାଙ୍କ ନେତୃତ୍ୱରେ ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ୮୩ ହଜାର ଭୋଟ୍ ବ୍ୟବଧାନରେ ହାରିଥିଲା। ଏହାଛଡ଼ା, ତାଙ୍କ ସଂସଦୀୟ କ୍ଷେତ୍ରର କର୍ମୀମାନେ ମଧ୍ୟ ତାଙ୍କ ଉପରେ ବିଶ୍ୱାସ ରଖୁନଥିବା ଦୃଷ୍ଟିରୁ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ତାଙ୍କ ପାଇଁ ଅସମ୍ଭବ ବ୍ୟାପାର। ସେହିପରି, ମୋକିମ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱ ସମୟକୁ ମଧ୍ୟ ଇଙ୍ଗିତ କରି କହିଥିଲେ ଯେ, ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ୍ ପାଇଥିଲା ଏବଂ ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ। ମୋକିମଙ୍କ ଏହି ବିଦ୍ରୋହୀ ମନୋଭାବ ଶେଷରେ ତାଙ୍କୁ ଦଳରୁ ବହିଷ୍କୃତ କରିଛି, ଯାହା ଓଡ଼ିଶା କଂଗ୍ରେସ ରାଜନୀତିରେ ଏକ ବଡ଼ ଝଟକା।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories