ଖାଲି ହେବ ଚାରି ରାଜ୍ୟସଭା ସିଟ, ଚର୍ଚ୍ଚାରେ ଚତୁର୍ଥ ସିଟ

ଖାଲି ହେବ ଚାରି ରାଜ୍ୟସଭା ସିଟ

ଭୁବନେଶ୍ୱର୍: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଅଙ୍କକଷା ଓ ପୋଷ୍ଟମୋର୍ଟମ ଶେଷ ହୋଇ ନ ଥିବାବେଳେ ଏବେ ଆଉ ଏକ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା, ଅଙ୍କକଷା ଓ ବିଶ୍ଲେଷଣ। ସାଧାରଣ ଜନତା ଯଦିଓ ଏହି ନିର୍ବାଚନରେ ସିଧାସଳଖ ଅଂଶୀଦାର ନୁହନ୍ତି ତଥାପି ଭୋଟ କଥା ଉଠିଲେ ପ୍ରତି ଗଳି କନ୍ଦିରେ, ଛକ ବଜାରରେ ହୁଏ ଚର୍ଚ୍ଚା। ଗାଁ ୱାର୍ଡମେମ୍ବର ଠାରୁ ରାଜଧାନୀର ରାଜନୈତିକ ବିଶାରଦଙ୍କ ବିଶ୍ଲେଷଣ ରାଜନୈତିକ ପାଣିପାଗକୁ ଉଷ୍ମ କରିଦିଏ। ଆଗକୁ ଆସୁଛି ରାଜ୍ୟସଭା ନିର୍ବାଚନ । ୨୦୨୬ରେ ଖାଲି ହେବ ୪ଟି ସିଟ । ଖାଲି ପଡ଼ିବ ମୁନା ଖାଁ, ମମତା ମହନ୍ତ, ସୁଜିତ୍ କୁମାର ଓ ନିରଞ୍ଜନ ବିଶିଙ୍କ ସିଟ। ଏହା ଉପରେ ଆରମ୍ଭ ହୋଇଛି ଅଙ୍କକଷା। କିଏ ଯିବେ ରାଜ୍ୟ ସଭା। ପଦ୍ମ ଓ ଶଙ୍ଖ ଶିବିରରୁ କିଏ ଯିବେ ରାଜ୍ୟ ସଭା। ସଂଖ୍ୟା ଗଣିତ ଦେଖିଲେ ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ବିଜେପି ପାଖରେ ଆବଶ୍ୟକ ସମର୍ଥନ ଓ ସଂଖ୍ୟା ରହିଛି। ସେହିପରି ବିଜେଡ଼ିର ସଂଖ୍ୟା ଅନୁସାରେ ଶଙ୍ଖ ଶିବିରରୁ ଜଣେ ରାଜ୍ୟସଭା ଯିବା ଏକ ପ୍ରକାର ନିଶ୍ଚିତ। ତେବେ ଚତୁର୍ଥ ସିଟକୁ ନେଇ ଚର୍ଚ୍ଚା। କାହାର ହେବ ଚତୁର୍ଥ ସିଟ ଚାଲିଛି ଅଙ୍କକଷା, ବିଶ୍ଲେଷଣ। ତେବେ ନିଜ ସଂଖ୍ୟା ଅନୁସାରେ କିଏ କାହାକୁ ପଠାଇବ ରାଜ୍ୟସଭା। ଚର୍ଚ୍ଚା ହେଉଛି ବିଜେପିରୁ ମନମୋହନ ସାମଲ , ବସନ୍ତ ପଣ୍ଡା , ସୁଜିତ କୁମାର କିମ୍ବା ମମତା ମହନ୍ତ, ଅମର ପଟ୍ଟନାୟକ, ଗୋଲକ ମହାପାତ୍ର, ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଯାଇ ପାରନ୍ତି ରାଜ୍ୟସଭା। ସେମିତି ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡ଼ିର ନମ୍ବର ଅନୁସାରେ ଯେଉଁ ଗୋଟିଏ ସିଟ ପାଇଁ ସଂଖ୍ୟା ଅଛି ସେଥିପାଇଁ ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରତାପ ଜେନା ,ବବି ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ନାଁ ଙ୍କୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା।

ନୂଆପଡ଼ା ପରେ ରାଜ୍ଯ ସଭା ପାଇଁ ମିସନ୍ ଆରମ୍ଭ କରିଛି ବିଜେପି। ପଦ୍ମ ଶିବିରରେ ଅଙ୍କକଷା। ନିକଟରେ ବିଜେଡି ଛାଡ଼ି ପଦ୍ମ ଧରିଥିବା ଜଣେ ସାଂସଦ କହିଛନ୍ତି ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ସିଟ୍ ରୁ ଦୁଇଟି ବିଜେପି ର ଏକ ପ୍ରକାର ନିଶ୍ଚିତ। ଗୋଟିଏ ବିଜେଡ଼ି କୁ ଯିବ। ଚତୁର୍ଥ ସିଟ୍ କୁ ନେଇ ସଂଖ୍ୟା ଦ୍ୱନ୍ଦ। ତେବେ ବିଜେପିର ଚତୁର୍ଥ ସିଟ୍ ହେବାର ଯଥେଷ୍ଟ ସମ୍ଭାବନା ରହିଚି ବୋଲି ସେ କହିଛନ୍ତି। ।

୨୦୨୬ ଏପ୍ରିଲ ରେ ୪ ଟି ରାଜ୍ଯସଭା ସିଟ୍ ଖାଲି ହେବ। ସୁଜିତ୍ କୁମାର, ମମତା ମହାନ୍ତି, ମୁନା ଖାଁ ଓ ନିରଞ୍ଜନ ବିଶି ଙ୍କ ସିଟ୍ ଖାଲି ହେବ। ନୂଆପଡ଼ା ଦଖଲ ପରେ ସୁଜିତ୍ କୁମାରଙ୍କୁ ଦଳ ରିୱାର୍ଡ ଦେଇପାରେ ବୋଲି ଚର୍ଚ୍ଚା।

ସେପଟେ ବିଜେଡି କହିଛି କ୍ଷମତା ଓ ଅର୍ଥ ବଳ ପ୍ରୟୋଗ କରି ନୂଆପଡ଼ାରେ ଜିତିଛି ବିଜେପି। ସେଥିପାଇଁ ବିଜେପି ନେତା ଭାବୁଛନ୍ତି ସେହି ପ୍ଲାନ୍ ରେ ରାଜ୍ୟସଭା ସିଟ୍ ଦଖଲ କରିବେ। ସେ ଆଶା ତାଙ୍କର ପୂରଣ ହେବନି। ତେବେ ବିଶେଷଜ୍ଞ କହିଛନ୍ତି ଚତୁର୍ଥ ସିଟ ଉପରେ ଦୁଇ ଦଳର ନଜର ରହିଛି। ରାଜ୍ୟର ସ୍ୱାର୍ଥକୁ ପ୍ରସଙ୍ଗ କରି ନିଷ୍ପତ୍ତି ନେବେ ଶୀର୍ଷ ନେତୃତ୍ଵ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories