ଗୁଆହାଟି: ଘରୋଇ ମାଟିରେ ଭାରତୀୟ କ୍ରିକେଟ୍ ଦଳର ଐତିହାସିକ ପରାଜୟ ଘଟିଛି। ଦକ୍ଷିଣ ଆଫ୍ରିକା ଠାରୁ ଦ୍ୱିତୀୟ ଟେଷ୍ଟରେ ୪୦୮ ରନ୍ର ଏକ ବଡ଼ ବ୍ୟବଧାନରେ ହାରିବା ପରେ, ଟେଷ୍ଟ ଇତିହାସରେ ଏହା ଭାରତର ସବୁଠୁ ବଡ଼ ରନ୍ ବ୍ୟବଧାନରେ ପରାଜୟ ହୋଇଛି। ଏହି ପରାଜୟ ସହିତ ଭାରତ ଘରୋଇ ମାଟିରେ କ୍ରମାଗତ ଦୁଇଟି ଟେଷ୍ଟ ସିରିଜ୍ ହାରିଛି (ପୂର୍ବରୁ ନ୍ୟୁଜିଲାଣ୍ଡ ଠାରୁ)। ଏହି ବିପର୍ଯ୍ୟୟ ପରେ ସବୁ ମହଲରୁ ଭାରତୀୟ ଦଳକୁ ତୀବ୍ର ସମାଲୋଚନା କରାଯାଉଛି।
ଦଳର ଏହି ଲଜ୍ଜାଜନକ ପ୍ରଦର୍ଶନ ପାଇଁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସମ୍ପୂର୍ଣ୍ଣ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି। ମ୍ୟାଚ୍ ଶେଷରେ ଗମ୍ଭୀର କହିଛନ୍ତି, ଏହି ବିଫଳତା ପାଇଁ ଦଳଗତ ଭାବେ ସମସ୍ତେ ଦାୟୀ, ଯାହା ମୋ ଠାରୁ ଆରମ୍ଭ ହେଉଛି। ଆମକୁ ଆହୁରି ଭଲ ଖେଳିବାକୁ ହେବ। ଗୋଟେ ସମୟରେ ଆମେ ଗୋଟିଏ ୱିକେଟ୍ ହରାଇ ୯୫ ରନ୍ କରିଥିଲୁ, କିନ୍ତୁ ପର ମୁହୂର୍ତ୍ତରେ ୧୨୨ ରନ୍ରେ ଅଲଆଉଟ୍ ହୋଇଗଲୁ। ଏହାକୁ କେହି ଗ୍ରହଣ କରିବେ ନାହିଁ। ମୁଁ କେବେ ବ୍ୟକ୍ତିଗତ ଭାବେ କାହାକୁ ଦୋଷ ଦିଏ ନାହିଁ କି ଆଗକୁ ମଧ୍ୟ ଦେବି ନାହିଁ।
ତେବେ ସମାଲୋଚନାକୁ ଏଡ଼ାଇ ଗମ୍ଭୀର ନିଜ ସଫଳତା ବିଷୟରେ ମନେ ପକାଇ କହିଛନ୍ତି, ମୁଁ ବଦଳି ନାହିଁ। ମୁଁ ସେଇ ଲୋକ ଯିଏ ଦଳକୁ ଚାମ୍ପିଅନ୍ସ ଟ୍ରଫି ଜିତାଇଥିଲି ଓ ଇଂଲଣ୍ଡ ସହ ଟେଷ୍ଟ ସିରିଜ୍ ୨-୨ରେ ଡ୍ର ରଖିଥିଲି। ତେବେ ବର୍ତ୍ତମାନ ବିସିସିଆଇ ହିଁ ମୋର ଭାଗ୍ୟ ନିର୍ଦ୍ଧାରଣ କରିବ।
ଖେଳାଳି ଚୟନକୁ ନେଇ ପ୍ରଶ୍ନ:
କୋଚ୍ ଭାବେ ଗମ୍ଭୀରଙ୍କ ପ୍ରଦର୍ଶନ ଆଦୌ ଉତ୍ସାହଜନକ ନୁହେଁ। ତାଙ୍କ ଅଧିନରେ ଭାରତୀୟ ଦଳ ୧୮ଟି ଟେଷ୍ଟ ଖେଳି ୧୦ଟି ହାରିଛି। ବିଶେଷ କରି ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବା ବଡ଼ ଝଟକା ଦେଇଛି। ଖେଳାଳି ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। କାରଣ ଗମ୍ଭୀର ସ୍ପେସିଆଲିଷ୍ଟଙ୍କ ସ୍ଥାନରେ ଅଧିକ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିବାକୁ ପସନ୍ଦ କରିଥିଲେ, ଯାହା ଏକ ବିଫଳ ରଣନୀତି ଥିଲା। ତେବେ ଗମ୍ଭୀର ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ଅଧିକ ଦକ୍ଷ କିମ୍ବା ଆକ୍ରମଣାଭିମୁଖୀ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକତା ନାହିଁ। ସେ କହିଛନ୍ତି, ଦକ୍ଷତା କମ୍ ଥିଲେ ଚଳିବ, କିନ୍ତୁ କଠିନ ପରିସ୍ଥିତିର ସାମନା କରିବାର ସାମର୍ଥ୍ୟ ଥିବା ଦରକାର। ବିସିସିଆଇର ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି।








