ମହାରାଷ୍ଟ୍ର ର ନାନ୍ଦେଡରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏ ଦୃଶ୍ୟ କେବଳ ଏକ ଚିତ୍ର ନଥିଲା, ପ୍ରେମ ଅମରର ପ୍ରମାଣ । ଆଜ୍ଞା ହଁ, କୁହାଯାଏ ପ୍ରେମ ଅମର, ଏ ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଯୁବତୀ । ପରିବାର ଲୋକେ ଅତି ନିଷ୍ଠୁର ଭାବେ ପ୍ରେମିକକୁ ହତ୍ୟା କରିବା ପରେ ପ୍ରେମିକର ଶବକୁ ବିବାହ କରିଛନ୍ତି ଯୁବତୀ ଜଣକ । ଏଥିସହ ପ୍ରେମିକ ଘରେ ଜଣେ ବିଧବାର ପରିଚୟ ନେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ ନାନ୍ଦେଡର ଆଞ୍ଚଲ ସକ୍ଷମ ଟେଟେ ନାମକ ଜଣେ 20 ବର୍ଷୀୟ ଯୁବକଙ୍କୁ ପ୍ରେମ କରୁଥିଲେ । ଆଞ୍ଚଲ ନିଜ ଭାଇଙ୍କ ଜରିଆରେ ସକ୍ଷମଙ୍କୁ ଭେଟିଥିଲେ । ସକ୍ଷମ ତାଙ୍କ ଘରକୁ ବାରମ୍ବାର ଯିବା ଆସିବା କରିବା ମଧ୍ୟରେ ନିକଟତର ହୋଇଥିଲା । ଉଭୟ ଅନେକ ଥର ଅନ୍ୟତ୍ର ମଧ୍ୟ ଦେଖା ସାକ୍ଷାତ କରନ୍ତି । ତିନି ବର୍ଷର ପ୍ରେମ ସମ୍ପର୍କ ପରେ ପରିବାର ଲୋକେ ଏସବୁ ବାବଦରେ ଜାଣି ବିରୋଧ କଲେ ।
ଏଇଠୁ ଆରମ୍ଭ ହୋଇଥିଲା କ୍ଲାଇମାକ୍ସ ।
ଆଞ୍ଚଲ ସକ୍ଷମଙ୍କୁ ବାହା ହେବାକୁ ଜିଦ୍ କରିଥିଲେ । ମାତ୍ର ପରିବାର ଲୋକେ, ତାଙ୍କ ଜାତି ଛୋଟ କହି ବାହା କରାଇ ଦେବେନି ବୋଲି କହିଥିଲେ । ଆଞ୍ଚଲ କିନ୍ତୁ ବାପା-ଭାଇଙ୍କ କଥା ନ ମାନି ସକ୍ଷମଙ୍କୁ ବାରମ୍ବାର ଦେଖା କରିବାକୁ ଯାଆନ୍ତି । ଫଳରେ ସକ୍ଷମଙ୍କୁ ରାସ୍ତାରୁ ହଟାଇ ଦେବାକୁ ପ୍ଲାନ୍ କରିଥିଲେ ଆଞ୍ଚଲର ବାପା ଓ ଭାଇ । ଶେଷରେ ଅତି ନିଷ୍ଠୁର ଭାବେ ସକ୍ଷମକୁ ମନ ଇଚ୍ଛା ମାଡ଼ ମାରିବା ପରେ ମୁଣ୍ଡକୁ ଗୁଳି କରିଥିଲେ, ଏତିକିରେ ମନ ବୁଝି ନଥିଲା ଯେ ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।
ପୁଅର ମରଶରୀର ପାଖେ ବସି ପରିବାର, ଗାଁ, ପଡିଶା ଭୋ ଭୋ ହୋଇ କାନ୍ଦୁଥିଲେ । ଏହି ସମୟରେ ଖବର ପାଇ ଆଞ୍ଚଲ ଶେଷକୃତ୍ୟ ସମୟରେ ସକ୍ଷମର ଘରେ ପହଞ୍ଚି ଥିଲେ । ସେଠାରେ ପ୍ରେମିକର ମରଶରୀରକୁ ବିବାହ କରିଥିଲା । ବିବାହିତା ମହିଳାଙ୍କ ପରି ତାଙ୍କ ଶରୀରରେ ହଳଦୀ, କପାଳରେ ସିନ୍ଦୂର ଲଗାଯାଇଥିଲା । ଏବେଠୁ ସେ ସକ୍ଷମର ପତ୍ନୀ ବୋଲି କହିଥିଲେ ଏବଂ ତାଙ୍କ ଘରେ ସାରା ଜୀବନ ବିଧବା ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।
କେବଳ ଏତିକି ନୁହେଁ, ଆଞ୍ଚଲ କହିଛନ୍ତି ଯେ ସକ୍ଷମ ମରି ବି ମୋ ପାଇଁ ଅମର । ଆମ ପ୍ରେମର ବିଜୟ ହୋଇଛି ଆଉ ମୋ ବାପା-ଭାଇ ହାରି ଯାଇଛନ୍ତି । ଯିଏ ବି ଟେଟେଙ୍କୁ ମାରିଛି ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ଆଞ୍ଚଲ ।
ସେପଟେ, ପୋଲିସ ମାମଲା ରୁଜୁ କରି 6 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲଗାଇ ତଦନ୍ତ କରୁଛି ପୋଲିସ ।








