ସ୍ମାର୍ଟଫୋନ୍ କମ୍ପାନୀଙ୍କୁ ସରକାରଙ୍କ ନିର୍ଦ୍ଦେଶ, ଫୋନରେ ପ୍ରି-ଇନଷ୍ଟଲ୍ କର ‘ସଞ୍ଚାର ସାଥୀ’

ସ୍ମାର୍ଟଫୋନ୍ କମ୍ପାନୀଙ୍କୁ ସରକାରଙ୍କ ନିର୍ଦ୍ଦେଶ, ଫୋନରେ ପ୍ରି-ଇନଷ୍ଟଲ୍ କର ‘ସଞ୍ଚାର ସାଥୀ’

ଦିନକୁ ଦିନ ଅନ୍ଧାରୀ ଅପରାଧ୍ ଅର୍ଥାତ୍ ସାଇବର କ୍ରାଇମ୍ ବଢିବାରେ ଲାଗିଛି । କାହାକୁ ଡିଜିଟାଲ୍ ଆରେଷ୍ଟର ଧମକ ଦିଆଯାଉଛି ତ ଆଉ କାହାକୁ ଓଟିପି ଜରିଆରେ କରାଯାଉଛି ଲୁଟ୍ । ବର୍ଷକୁ ଭାରତରେ ଶହ ଶହ କୋଟି ଟଙ୍କାର ସାଇବର ହେରଫେର୍ ହେଉଛି, ଯାହା ସାଧାରଣ ଜନତାଙ୍କଠୁ ସରକାରଙ୍କୁ ଚିନ୍ତାରେ ପକାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶ ତଥା ବିଶ୍ୱର ସମସ୍ତ ନାମିଦାମୀ ଟୋଲିକମ୍ ବିଭାଗର ସ୍ମାର୍ଟଫୋନ୍ ନିର୍ମାତାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ, ଆଗକୁ ତିଆରି ହେଉଥିବା ସମସ୍ତ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ’ ନାମକ ଏକ ସାଇବର୍ ସୁରକ୍ଷା ଆପ୍ ପ୍ରି-ଇନଷ୍ଟଲ୍ କରାଯିବ, ଯେପରି କୌଣସି ୟୁଜର୍ ଚାହିଁଲେ ବି ଏହି ଆପକୁ ଡିଲିଟ୍ କରିପାରିବେ ନାହିଁ କି ଅନଇନଷ୍ଟଲ୍ କରିପାରିବେ ନାହିଁ । ଏଥିପାଇଁ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକୁ ୩ ମାସ ଅର୍ଥାତ୍ ୯୦ ଦିନ ସମୟ ଦିଆଯାଇଛି ।

ସରକାର ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ନଭେମ୍ବର ୨୮ରେ ବ୍ୟକ୍ତିଗତ ଭାବେ ଏହି ମେସେଜ୍ କରିଛନ୍ତି, ଯାହା ସାର୍ବଜନୀନ କରାଯାଇ ନାହିଁ । ସଂଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କମ୍ପାନୀଗୁଡ଼ିକ ମଧ୍ୟରେ  Apple, Samsung, OnePlus, Vivo, Oppo, ଏବଂ Xiaomi ରହିଛି । ଯଦି ପୂର୍ବରୁ ଡିଭାଇସଗୁଡ଼ିତ ସପ୍ଲାଏ ଚେନରେ ଅଛି, ତେବେ ଆପ୍‌କୁ ଏକ ସଫ୍ଟୱେର୍ ଅପଡେଟ୍ ମାଧ୍ୟମରେ ପଠାଯିବ ।

ସରକାରଙ୍କ କହିବା ଅନୁସାରେ, ବ୍ଲାକ୍ ମାର୍କେଟ୍ ଉପରେ ରୋକ୍ ଲଗାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଫୋନରେ ସଞ୍ଚାର ସାଥୀ ଇନଷ୍ଟଲ୍ ରହିଲେ, ଏହା ଜରିଆରେ ଯଦି କେହି ସାଇବର ଧମକ ଦିଅନ୍ତି କିମ୍ବା ଫୋନରୁ ଡେଟା ଚୋରାଇ ନିଅନ୍ତି କିମ୍ବା ଫୋନ୍ ଚୋରି ହୋଇଯାଏ ତେବେ ଟ୍ରାକିଂ ଜରିଆରେ ଅପରାଧୀଙ୍କୁ ଧରିବା ସହଜ ହେବ ।

ସଞ୍ଚାର ସାଥୀ ଆପ୍ କ’ଣ?

ଟେଲିକମ୍ୟୁନିକେସନ୍ ବିଭାଗ (DoT) ଜାନୁଆରୀ 2025 ରେ ସଞ୍ଚାର ସାଥୀ ମୋବାଇଲ୍ ଆପ୍ ପ୍ରଚଳନ କରିଥିଲା । ଟେଲିକମ୍ ବିଭାଗ ଅନୁଯାୟୀ, ଏହି ନାଗରିକ-କେନ୍ଦ୍ରିକ ଉପକରଣ ସିଧାସଳଖ ବ୍ୟବହାରକାରୀଙ୍କ ସ୍ମାର୍ଟଫୋନରେ ଦୃଢ଼ ସୁରକ୍ଷା ଫିଚର୍ସ ଏବଂ ଠକେଇ ବାବଦରେ ରିପୋର୍ଟ କରିବାକୁ ସୁଯୋଗ ଦିଏ । ଏହି ଆପ୍ ପରିଚୟ ଚୋରି, ଜାଲ KYC, ଡିଭାଇସ୍ ଚୋରି, ବ୍ୟାଙ୍କିଂ ଠକେଇ ଏବଂ ଅନ୍ୟାନ୍ୟ ସାଇବର ବିପଦକୁ ରୋକିବାରେ ସହାୟକ ହୋଇଥାଏ । ଏହା ସହ ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ସ୍ମାର୍ଟଫୋନକୁ  ଟ୍ରାକିଂ କରିବାରେ ସହାୟକ ହୋଇଥାଏ ଏହି ଆପ୍ ।

ସରକାରୀ ତଥ୍ୟ ଅନୁଯାୟୀ, ଜାନୁଆରୀ 17, 2025 ରେ ଲଞ୍ଚ ହେବା ପରଠାରୁ, ସଞ୍ଚାର ସାଥୀ ମୋବାଇଲ୍ ଆପ୍ ଅଗଷ୍ଟ 2025 ସୁଦ୍ଧା 50 ଲକ୍ଷ ଡାଉନଲୋଡ୍ ଅତିକ୍ରମ କରିଛି । ସଞ୍ଚାର ସାଥୀ LIVE ଡ୍ୟାସବୋର୍ଡରୁ 37.28 ଲକ୍ଷରୁ ଅଧିକ ଚୋରି/ହଜିଥିବା ମୋବାଇଲ୍ ଡିଭାଇସକୁ ଡିସକନେକ୍ଟ କରାଯାଇ ଥିବାବେଳେ 22.76 ଲକ୍ଷରୁ ଅଧିକ ଡିଭାଇସ୍ ଚିହ୍ନଟ କରାଯାଇ ପାରିଛି ।

 

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories