ଡବଲ ଇଞ୍ଜିନ ସରକାରରେ ମାଫିଆରାଜ, ସ୍ଥାଣୁ ପାଲଟିଛି ଓଏମଏମସି ୨୦୧୬ ନିୟମ

ଡବଲ ଇଞ୍ଜିନ ସରକାରରେ ମାଫିଆରାଜ

ବୌଦ୍ଧ/ହରଭଙ୍ଗା, (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ତହସିଲ ଅନ୍ତର୍ଗତ ସୁରୁଣ୍ଡି ବାଲିଘାଟରୁ ସ୍ପଷ୍ଟ ଦିବାଲୋକରେ ବିନା ଖାତା ଖତିଆନରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଛି l ଡବଲ ଇଞ୍ଜିନ ସରକାରରେ ବାଲି ମାଫିଆଙ୍କ ମାଫିଆରାଜ ବୃଦ୍ଧି ପାଉଛି ବୋଲି ଅଭିଯୋଗ କରୁଛନ୍ତି ଲୋକେ l ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଷ୍ଟିଲ ଏବଂ ମାଇନ୍ସ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଥିଲେ ମଧ୍ୟ ବାଲି ଚୋରା ଚାଲାଣ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନୀ ଘଟୁଥିବା ବେଳେ କଳା ସାମ୍ରାଜ୍ୟର ଧଳା କୁର୍ତ୍ତା ପିନ୍ଧା ସମ୍ରାଟଙ୍କ ଛତ୍ରଛାୟା ତଳେ ସୁରକ୍ଷିତ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି l

ମହାନଦୀ ବର୍ତ୍ତମାନ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ ଜିଲ୍ଲା ଖଣି ଏବଂ ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରେ ବର୍ତ୍ତମାନ ଦୁର୍ନୀତିକୁ ପ୍ରତ୍ସାହନ ଦିଆଯାଉଥିବା ଅଭିଯୋଗ ହେଉଛି l ହାଇୱାରେ ବାଲି ଟ୍ରିପ ପ୍ରତି ୧୦,୦୦୦ ଟଙ୍କା ନିଆଯାଉଥିବା ବେଳେ ମହାନଦୀ କୂଳରେ ବସବାସ କରୁଥିବା ସାଧାରଣ ଗରିବ ଲୋକଙ୍କୁ ଘର ଖଣ୍ଡିଏ ତିଆରି କରିବା ସମୟରେ ହିନସ୍ତା ହେବାକୁ ପଡୁଛି l ତା- ୨୫/୦୨/୨୦୨୫ରିଖରେ ଫାଇଲ ନଂ. DOMM-DDM-MISC-0177-2024-541 ଲଘୁ ଖଣିଜ ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ(ଭା.ପ୍ର.ସେ) ନିର୍ଦ୍ଦେଶ ଅନୁଯାୟୀ ଲିଜଧାରୀ ସୀମା ନିର୍ଦ୍ଧାରଣ କରି ଲିଜ ଅଞ୍ଚଳ ମାପଚୁପ କରି ଖୁଣ୍ଟ ପୋତିବା, ସିସି ଟିଭି ଲଗେଇବା, ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସୂଚନା ଫଳକ(୪×୩.୫ ଫୁଟ) ଲଗେଇବା, ଜିପିଏସ ସର୍ଭିଲାନ୍ସ, ଗାଡ଼ିର ଭିଏଲଟିଡି, ରେଜିଷ୍ଟର ପରିଚାଳନା, ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଏକମାତ୍ର ପଥ ରହିବା ଆଦି କଡା ନିର୍ଦ୍ଦେଶ ରହିଥିଲେ ସମସ୍ତ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦିଆଯାଉଛି l ଏଥିରେ ବ୍ୟତିକ୍ରମ ଦେଖାଗଲେ ଓଏମଏମସି ୨୦୧୬, ଆଇନ ଅନୁଯାୟୀ ଲିଜଧାରୀଙ୍କ ଲିଜ ସସପେଣ୍ଡ କରାଯିବାର ପ୍ରାବଧାନ ମଧ୍ୟ ରହିଛି l

ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଐତିହାସିକ ଜଗନ୍ନାଥ ସଡ଼କରେ ଯାତାୟାତ କରୁଥିବା ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣ ବାଲି ବୋଝେଇ ହାଇୱାର ପ୍ରଦୂଷଣ ଧୂଳିରେ ଅସ୍ତବ୍ୟସ୍ତ ହେଉଛନ୍ତି l ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ ସକାଳ ୭ଘ. ରୁ ରାତି ୯ଘ. ପର୍ଯ୍ୟନ୍ତ ବାଲି ପରିବହନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି l କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ମୁତାବକ ସମସ୍ତ ବାଲିଘାଟରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ ହୋଇପାରିବ l ଯେଉଁ ସ୍ଥାନରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ କାର୍ଯ୍ୟ ସମ୍ଭବ ନୁହେଁ ସେଠାରେ ମେସିନ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ l ଏଥିପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ଥିବାବେଳେ ପରିବେଶ ମଞ୍ଜୁରୀ ପାଇଁ ସମ୍ପୃକ୍ତ ବାଲିଘାଟର ଭୌଗୋଳିକ ସ୍ଥିତି, ବାଲିଘାଟରେ ଜମାଥିବା ବାଲିର ପରିମାଣ ତଥା ନଦୀ ଜଳର ଗତିପଥ ଏବଂ ପରିବେଶ ଉପରେ ପଡିବାକୁ ଥିବା ପ୍ରଭାବ ଆଦିକୁ ଧ୍ୟାନ ଦିଆଯିବ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାୟରେ ସ୍ପଷ୍ଟ କରିଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ହେଉଛି l

ବାଲି ମାଫିଆଙ୍କ ଚାନ୍ଦା ପାଖରେ ବିଭାଗୀୟ ଅଧିକାରୀଙ୍କ ସ୍ୱାଭିମାନ ବନ୍ଧା ପଡ଼ିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି l ଫଳରେ ପ୍ରଶାସନିକ ଅଯୋଗ୍ୟତା ହିଁ ମାଫିଆଙ୍କ ପାଇଁ ଯୋଗ୍ୟତାର ମାପକାଠି ପ୍ରମାଣିତ ହୋଇଛି l ଜିଲ୍ଲା ଖଣି ବିଭାଗ, ତହସିଲ, ବନ ବିଭାଗ ଏବଂ ପୋଲିସ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ସବୁ କିଛି ଜାଣି ସୁଦ୍ଧା ନିରବ ଦ୍ରଷ୍ଟା ସାଜିଥିବା ବେଳେ ବିରାଟ ବଳେ କିଚକ ରାଜା ଭଳି ବାଲି ମାଫିଆମାନେ ନେତାଙ୍କ ବଳରେ ବଳିଆନ ମନେ ହେଉଛି l ହରଭଙ୍ଗା ତହସିଲର ବିଭିନ୍ନ ବାଲି ଘାଟରେ ବାଲି ଚୋରା ଚାଲାଣ ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ତଥା ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି l ବିଭିନ୍ନ ଗଣମାଧ୍ୟମରେ ବାଲି ଚୋରା ଚାଲାଣ ପ୍ରସଙ୍ଗରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ l

ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ନ୍ୟାୟରେ ପ୍ରଶାସନିକ ଅପାରଗତା, ସ୍ଥାଣୁତାକୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା କରାଯାଉଛି l ପୂର୍ବରୁ ଆଇନର ଦେବଙ୍କ ଆଖିରେ ଅନ୍ଧପୁଟୁଳି ଥିଲା ଏବଂ ପରବର୍ତ୍ତୀ ସମୟରେ ତାକୁ ହଟାଇ ଦିଆଯାଇଥିଲା l କିନ୍ତୁ ବର୍ତ୍ତମାନ ସମୟରେ ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଛି l ହରଭଙ୍ଗା ଅଞ୍ଚଳରେ ବାଲି ଚୋରି ଜଟିଳ ରାଜନୀତି ଗଣିତର ସମାଧାନ ଆଶା ଆଶଙ୍କା ଭିତରେ ଗତି କରୁଛି l କିଛି ଦିନ ପୂର୍ବରୁ ଅନୁଷ୍ଠିତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବାଲି ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଆହ୍ୱାନ ଦେଇଥିଲେ ସୁଦ୍ଧା ତାହା ହରଭଙ୍ଗା ରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି l ଏନେଇ ଜିଲ୍ଲା ଖଣି ଅଧିକାରୀ ମନୋହର ମହନ୍ତଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଲଘୁ ଖଣିଜ ନିୟମର ଧଜିଆ ଉଡାଉଥିବା ଲିଜଧାରୀଙ୍କ ଲିଜ ସସପେଣ୍ଡ ତଥା ବାଲି ମାଫିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories