ଭୁବନେଶ୍ବର: ଆଗକୁ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ। ଏହି ଉତ୍ସବ ସମୟରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ବେଳେ ସହରର କୋଣ ଅନୁକୋଣ ଉପରେ ପୋଲିସର ନଜର ରହିବ ବୋଲି ସୂଚନା ମିଳିଛି।
ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଏକ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ଉତ୍ସବ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ସହରରେ ଅଧିକ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ସମ୍ବେଦନଶୀଳ ଅଞ୍ଚଳ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏହି ଫୋର୍ସ ପହରା ଦେବେ। ବିଶେଷକରି ଚର୍ଚ୍ଚ, ପାର୍କ, ସପିଂ ମଲ୍ ଏବଂ ମୁଖ୍ୟ ରାସ୍ତାଗୁଡ଼ିକରେ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି।
ନୂଆବର୍ଷ ସ୍ୱାଗତ ପାଇଁ ଆୟୋଜିତ ହେବାକୁ ଥିବା ‘ଜିରୋ ନାଇଟ୍ ସେଲିବ୍ରେସନ’ ଉପରେ ପୋଲିସ କଟକଣା ଲଗାଇଛି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ହିଁ ସମସ୍ତ କାର୍ଯ୍ୟକ୍ରମ ଶେଷ କରିବାକୁ ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜେ ବଜାଇବା କିମ୍ବା ଉତ୍ସବ ପାଳନ କରିବା ଉପରେ କଟକଣା ରହିବ। ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି।
ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବର୍ଦ୍ଦିଧାରୀ ପୋଲିସ ସହିତ ବହୁ ସଂଖ୍ୟକ ସାଧା ପୋଷାକଧାରୀ ପୋଲିସ ମଧ୍ୟ ସହରରେ ବୁଲିବେ। ଭିଡ଼ ମଧ୍ୟରେ ରହି ଏହି ପୋଲିସ କର୍ମଚାରୀମାନେ ଅସାମାଜିକ ତତ୍ତ୍ୱ, ମଦ୍ୟପ ଏବଂ ଉତ୍ପାତିଆ ଯୁବକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବେ। ମହିଳାମାନଙ୍କ ସୁରକ୍ଷା ପାଇଁ ବିଶେଷ ଟିମ୍ ଗଠନ କରାଯାଇଛି
ଉତ୍ସବ ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ‘ଡ୍ରଙ୍କେନ୍ ଡ୍ରାଇଭିଂ’ ଚେକିଂ ଜୋରଦାର କରାଯିବ। ସହରର ବିଭିନ୍ନ ଛକରେ ବ୍ଲକିଂ ଏବଂ ସେକିଂ କରାଯିବ। ସେହିପରି ଟ୍ରାଫିକ ସମସ୍ୟା ଯେପରି ନଉପୁଜେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ପୋଲିସ କମିଶନର ଜନସାଧାରଣଙ୍କୁ ଶୃଙ୍ଖଳିତ ଭାବେ ପର୍ବ ପାଳନ କରିବାକୁ ଅନୁରୋଧ କରିବା ସହ ପୋଲିସକୁ ସହଯୋଗ କରିବାକୁ କହିଛନ୍ତି। ଏହି ପଦକ୍ଷେପ ସହରବାସୀଙ୍କୁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଉତ୍ସବର ପରିବେଶ ଯୋଗାଇଦେବ ବୋଲି ଆଶା କରାଯାଉଛି।








