କଣ୍ଟାମାଳ/ବୌଦ୍ଧ(ସର୍ବେଶ୍ୱର କ୍ଷେତି): କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ପଞ୍ଚାୟତର ରେଘାମୁଣ୍ଡାଠାରେ ଅବସ୍ଥିତ ଦେଢ଼ଶୁର- ଭାଇବୋହୂ, ଭୀମ ପାହାଡ଼, ଗୁପ୍ତେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ l କିମ୍ବଦନ୍ତୀ ଅନୁଯାୟୀ, ପଞ୍ଚୁ ପାଣ୍ଡବ ଅଜ୍ଞାତବାସ ସମୟରେ ଏହି ପାହାଡ଼ରେ ଅବସ୍ଥାନ କରି ଗୁପ୍ତ ଭାବରେ ଶୈବ ଉପାସନା କରୁଥିଲେ l ବର୍ତ୍ତମାନ ମଧ୍ୟ ପାହାଡ଼ ଉପରେ ଏକ ଶୈବପୀଠ ରହିଛି ଯାହାକି ଗୁପ୍ତେଶ୍ୱର ମହାଦେବ ନାମରେ ପ୍ରସିଦ୍ଧି ଲାଭ କରିଛି l ପାଣ୍ଡବମାନେ ଏଠାରେ ରହୁଥିବାର ଅନେକ କୀର୍ତ୍ତିର ଛାପ ଏବେ ମଧ୍ୟ ରହିଛି l ଅଜ୍ଞାତବାସ ସମୟରର ଦ୍ରୌପଦୀ ହଳଦୀ ଲଗାଉଥିବା ବେଳେ ତାହାର ଛିଟା ଚିହ୍ନ ବର୍ତ୍ତମାନ ମଧ୍ୟ ପଥରରେ ହଳଦିଆ ରଙ୍ଗର ଛାପ ଭାବରେ ରହିଥିବା ବିଶ୍ୱାସ କରାଯାଏ l ପାଣ୍ଡବମାନେ ଏଠାରେ ଗୋପାଳନ ଏବଂ ବାଦୁଡ଼ି ପାଳନ କରୁଥିବାର ଏକ କିମ୍ବଦନ୍ତୀ ରହିଛି l ବର୍ତ୍ତମାନ ଗୁମ୍ଫା ଭିତରେ ରହିଥିବା ବାଦୁଡ଼ି ଗୁମ୍ଫା ଏବଂ ଗାଈ ଗୁହାଳ ଏହା ପ୍ରମାଣ ଦେଇଥାଏ l
ମହାବଳି ଭୀମ ପାହାଡ଼ ଉପରକୁ ଚଢ଼ିବାର ପାଦ ଚିହ୍ନ ଏବଂ ବାଡ଼ିରେ ଭାରା ଛାପ ଆଜି ବି ବିଦ୍ୟମାନ l ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଦେଢ଼ଶୁର ଏବଂ ଭାଇବୋହୂ ହେଉଛି ଅଛୁଆଁ ସମ୍ପର୍କ l ଥରେ ବର୍ଷା ଯୋଗୁଁ ପାହାଡ଼ ଉପରେ ଗୋଟିଏ ଗଛ ମୂଳରେ ଜଣେ ଦେଢ଼ଶୁର ସହ ଭାଇବୋହୂ ଏକାଠି ଆଶ୍ରୟ ନେଇଥିବାର ପଞ୍ଚୁ ପାଣ୍ଡବ ଦେଖିବା ପରେ କ୍ରୋଧରେ ଅଭିଶାପ ଦେଇଥିବା କାରଣରୁ ଦେଢ଼ଶୁର ଭାଇବୋହୂ ସେଠାରେ ପଥର ପାଲଟି ଯାଇଥିଲେ l ସେବେଠାରୁ ଏହି ପାହାଡର ନାଁ ପଞ୍ଚୁ ପାଣ୍ଡବ- ଦେଢ଼ଶୁର- ଭାଇବୋହୂ ହୋଇଛି ବୋଲି ଲୋକେ କହନ୍ତି l ତେବେ ଏହି ଦେଢ଼ଶୁର- ଭାଇବୋହୂ ପଥର ଦୁଇଟି ମଧ୍ୟ କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହଁ l ପଥର ଦୁଇଟି ପରସ୍ପରକୁ ସ୍ପର୍ଶ କରୁନଥିବା ବେଳେ ଏବଂ ଝୁଲନ୍ତା ଅବସ୍ଥାରେ ରହିଛି l ଯେତେ ଝଡ଼ ତୋଫାନ ହେଲେ ମଧ୍ୟ ପଥର ଦୁଇଟି ସେମିତି ସ୍ଥିର ରହିଛି l
ଏଠାରେ ଛୋଟ ଛୋଟ ୫ଟି ପାହାଡ଼ ରହିଛି l ଯାହାକୁ ପଞ୍ଚୁ ପାଣ୍ଡବ ପାହାଡ଼ କୁହାଯାଏ l ଅନ୍ୟ ମାସ ଅପେକ୍ଷା ଶ୍ରାବଣ ମାସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l ପ୍ରାକୃତିକ ମନୋରମ ପରିବେଶ ସହ ପ୍ରଭୁଙ୍କ ଆସ୍ଥାନ ସମସ୍ତଙ୍କୁ ଆକର୍ଷିତ କରିଥାଏ l ଦେଢ଼ଶୁର- ଭାଇବୋହୂ ପଥର ଦୁଇଟିକୁ ଦେଖିବା ପାଇଁ ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ପାହାଡ଼ର ୫୦ ଫୁଟ ଉପରକୁ ଯାଇଥାନ୍ତି l ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କା ବିନିମୟରେ ନିର୍ମିତ ଅତିଥିଶାଳା ପର୍ଯ୍ୟଟନ ଭିତ୍ତିଭୂମିକୁ ଦ୍ବିଗୁଣିତ କରିଛି l ଗୁପ୍ତେଶ୍ୱର ମହାଦେବ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଚାଲିଛି l ତଥାପି ପର୍ଯ୍ୟଟନସ୍ଥଳୀଟି ଅନେକ ସମସ୍ୟା ଭିତରେ ରହିଛି l
ଦେଢ଼ଶୁର- ଭାଇବୋହୂ, ଭୀମ ପାହାଡ଼ ଏବଂ ବାବା ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯିବା ପାଇଁ ସଡ଼କ ପଥରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଭୁବନେଶ୍ୱର- ବୌଦ୍ଧ ଭାୟା ନୟାଗଡ଼, ମନମୁଣ୍ଡା- ୨୭୨ କି.ମି ଯିବା ପରେ ସେଠାରୁ ଭାୟା କଣ୍ଟାମାଳ, ରେଘାମୁଣ୍ଡା- ୫୮ କି.ମି କିମ୍ବା ରେଳପଥରେ ଭୁବନେଶ୍ୱର- ସୋନପୁର ଭାୟା ବଲାଙ୍ଗୀର- ୪୪୪ କି.ମି ଯିବା ପରେ ସୋନପୁର- କଣ୍ଟାମାଳ- ରେଘାମୁଣ୍ଡା, ଭାୟା ମନମୁଣ୍ଡା- ୬୦ କି.ମି ଅତିକ୍ରମ କରି ସେଠାରେ ପହଞ୍ଚିପାରିବେ l







