ରାଜ୍ୟ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମହତାବଙ୍କ ସ୍ମୃତି ଚାରଣ କରିଥିଲେ।

ଗଡ଼ଜାତ ମିଶ୍ରଣ ଏବଂ ନବଉତ୍କଳର ନିର୍ମାଣରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଭୂମିକା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବରେ ନୁହେଁ ବରଂ ଜଣେ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ଦକ୍ଷ ସଂଗଠକ ଓ ସଂସ୍କୃତି ସଂମ୍ପନ୍ନ ବ୍ୟକ୍ତିତ୍ଵ ଭାବରେ ସେ ସର୍ବଭାରତୀୟ ସ୍ତରରେ ସୁପରିଚିତ। ଆଜି ସେହି ମହାପୁରୁଷଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ମିଶ୍ର ମତପ୍ରକାଶ କରିଥିଲେ।

ଆଜି ମହତାବଙ୍କ ଜୟନ୍ତୀ ଉପଲକ୍ଷେ ଗ୍ରନ୍ଥାଗାରରେ ଏକ ସାଧାରଣ ସଭା ଓ ମହାତାବଙ୍କ ଜୀବନୀକୁ ଆଧାର କରି ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories