ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ୍ ଅନ୍ୟତମ । ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସାମୂହୀକ ସ୍ୱାସ୍ଥ୍ୟ ବଜାୟ ରଖେ କିଡନୀ । ମାନବ ଶରୀରରେ ଦୁଇଟି ବୃକକ ଥାଏ । ଗୋଟିଏ ଅକାମୀ ହୋଇଗଲେ ଅନ୍ୟଟି କାର୍ଯ୍ୟକ୍ଷମ ହୋଇଥାଏ । ଜଣେ ବ୍ୟକ୍ତି ଗୋଟିଏ କିଡନୀରେ ବି କିଛି ଦିନ ବଞ୍ଚି ପାରିବ । କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଏବେ କିଡନୀ ଫେଲ୍ କାରଣରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏହାର ମୁଖ୍ୟ କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ । ଖରାପ ଖାଦ୍ୟ ଗ୍ରହଣ କାରଣରୁ ଅଧିକାଂଶ ଲୋକଙ୍କର କିଡନୀ ଫେଲ୍ ହେଉଛି । ଏପରି ସ୍ଥଳେ, ଆଜି ଏହି ଆଲେଖ୍ୟରେ ଆମେ ଏପରି କିଛି ଫଳ ବାବଦରେ ଆଲୋଚନା କରିବା, ଯାହା କିଡନୀକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । କଣ ସେହି ସବୁ ଫଳ, ଜାଣନ୍ତୁ…
ଔଷଧୀୟ ଗୁଣ ଥିବା ପତ୍ର
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଧଣିଆ, ତୁଳସୀ, ଜୁଆଣି ଫୁଲ ଏବଂ ପତ୍ର ମାନବ ବୃକକ୍ ପାଇଁ ବେଶ୍ ଉପକାରୀ । ତୁଳସୀ ପତ୍ର ପ୍ରାକୃତିକ ଭାବରେ ମୂତ୍ରବର୍ଦ୍ଧକ ଏବଂ ପରିସ୍ରା ଉତ୍ପାଦନ ବୃଦ୍ଧି କରିପାରେ । ଏହା ବୃକକ୍କୁ ଅତିରିକ୍ତ ଲବଣ, ବିଷାକ୍ତ ପଦାର୍ଥ ଏବଂ ୟୁରିକ୍ ଏସିଡ୍ ବାହାର କରିବାରେ ସାହାଯ୍ୟ କରେ, ଯାହା ବୃକକ୍ ଷ୍ଟୋନ୍ ବା ପଥର ବିପଦକୁ କମ୍ କରିପାରେ ଏବଂ ସାମଗ୍ରିକ ବୃକକ୍ କାର୍ଯ୍ୟକୁ ଉନ୍ନତ କରିପାରେ ।
ବିଟରୁଟ୍
ବିଟରୁଟ୍ରେ ନାଇଟ୍ରେଟ୍ ଅଛି, ଯାହା ରକ୍ତଚାପକୁ କମ କରିପାରେ । ଫଳରେ ବୃକକ୍ ଉପରେ ଭାର କମ୍ କରିପାରେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଟରୁଟ୍ ଉନ୍ନତ ରକ୍ତବାହୀ କାର୍ଯ୍ୟ, ପ୍ରଦାହ ହ୍ରାସ ଏବଂ ଅକ୍ସିଡେଟିଭ୍ ଚାପ ହ୍ରାସ ମାଧ୍ୟମରେ ବୃକକ୍ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ । ନିୟମିତି ବିଟ୍ ଜୁସ୍ ପିଇବା ଦ୍ୱାରା ଗ୍ଲାଇସେମିକ୍ ପ୍ରତିକ୍ରିୟା ସ୍ଥିର ରହିଥାଏ ଏବଂ ରକ୍ତ ଶର୍କରା ସ୍ତର ହ୍ରାସ ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏହା ବ୍ୟତୀତ ସାଧାରଣ ବ୍ୟକ୍ତିମାନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରକ୍ତଚାପ ହ୍ରାସ ପ୍ରଭାବ ଦେଖାଯାଇଛି ଏବଂ ଏହାର ବିଟାଲେନ୍ଗୁଡ଼ିକ ପ୍ରାକୃତିକ ଡିଟକ୍ସିଫାୟର୍ ଭାବରେ କାର୍ଯ୍ୟ କରେ ଯାହା ଶରୀରର ଫିଲ୍ଟେରେସନ୍ ପ୍ରକ୍ରିୟାକୁ ସମର୍ଥନ କରେ ।
ବ୍ଲୁବେରୀ
ଏଥିରେ ଭିଟାମିନ ଭରପୁର ଏବଂ ପୋଟାସିୟମ କମ୍ ଥାଏ । ତେଣୁ ଏହା କିଡନୀ ପାଇଁ ବେଶ୍ ଅନୁକୂଳ । କୁହାଯାଏ ଯେ ବ୍ଲୁବେରୀ କିଡନୀ ଟିସୁରେ ଅକ୍ସିଡେଟିଭ ଚାପ ଏବଂ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ । ନ୍ୟାସନାଲ କିଡନୀ ଫାଉଣ୍ଡେସନର ଏକ ଅଧ୍ୟୟନ ଅନୁଯାୟୀ, ବ୍ଲୁବେରୀ ଖାଇବା ଦ୍ୱାରା ମେଟାବୋଲିକ୍ ସିଣ୍ଡ୍ରୋମ ଥିବା ଲୋକଙ୍କ ବୃକକ୍ କାର୍ଯ୍ୟକୁ ଉନ୍ନତ କରିଥାଏ ।
କ୍ରାନବେରୀ
ବିଶେଷଜ୍ଞଙ୍କ ଅନୁସାରେ, କ୍ରାନବେରୀ ଜୁସ୍ ମୂତ୍ରନଳୀ ସଂକ୍ରମଣ (UTI) ପାଇଁ ଏକ ଲୋକପ୍ରିୟ ଘରୋଇ ଉପଚାର । ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ କିଡନୀ ପାଇଁ ବେଶ୍ ଉପକାରୀ । କ୍ରାନବେରୀକୁ ପ୍ରାକୃତିକ ଆଣ୍ଟିବାୟୋଟିକ୍ ଭାବରେ ମଧ୍ୟ ବିବେଚନା କରାଯାଏ । କିଡନୀରେ ଯେକୌଣସି ଜୀବାଣୁ ବୃଦ୍ଧିକୁ ରୋକିଥାଏ କ୍ରାନବେରୀ । ଏକ ଅଧ୍ୟୟନରୁ ଜଣାପଡିଛି ଯେ କ୍ରାନବେରିର ସପ୍ଲିମେଣ୍ଟେସନ୍ ମାନବ ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇପାରେ ଯେପରିକି ମୂତ୍ରନଳୀ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରେ କ୍ରାନବେରୀ ।








