ବୌଦ୍ଧ (ସର୍ବେଶ୍ୱର କ୍ଷେତି): ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ କରାଯାଉଛି l ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଉଦୟଗିରିଠାରେ ସ୍ୱତନ୍ତ୍ର ସମାରୋହ ମଧ୍ୟ ଆୟୋଜନ ହୋଇଛି l ଦୁର୍ଭାଗ୍ୟ ତଥା ବିଡମ୍ବନାର ବିଷୟ ଏଏସଆଇ ଅଧିନରେ ବୌଦ୍ଧରେ ୨ଟି ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜି ରାମେଶ୍ୱର ମନ୍ଦିର ଏବଂ ଗନ୍ଧରାଡ଼ି ମନ୍ଦିରର ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦିଆଯାଉନାହିଁ l ପରିଣାମ ସ୍ୱରୂପ ମନ୍ଦ୍ର ଗର୍ଭଗୃହରେ ପାଣି ଗଳୁଥିବା ବେଳେ ବାହାର ପାର୍ଶ୍ୱ କାନ୍ଥରୁ କାରୁକାର୍ଯ୍ୟ ଉଭାନ ହେବା ସହ ପଥର କ୍ଷୟ ହେବାରେ ଲାଗିଛି l ଜିଲ୍ଲାର ୨ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆବଶ୍ୟକ ଭିତ୍ତିଭୂମିର ବିକାଶକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି l ମନ୍ଦିରର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ l
ସେଠାରେ ନା ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି ନା ସିସିଟିଭି କ୍ୟାମେରା ଲାଗିଛି l ନିକଟ ଅତୀତରେ ସହର ମଧ୍ୟରେ ୫୭ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାମେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣା ସାମ୍ନାକୁ ଆସିଥିଲା l ଏପରିକି ରାତିର ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ମଧ୍ୟ ନାହିଁ l ୧୨୦୦ ରୁ ୧୩୦୦ ବର୍ଷ ହେବ ଉତ୍କଳୀୟ କଳା ଭାସ୍କର୍ଯ୍ୟକୁ ଧରି ରଖିଥିବା ରାମେଶ୍ୱର ମନ୍ଦିର ଏବଂ ଗନ୍ଧରାଡ଼ି ମନ୍ଦିରର କୀର୍ତ୍ତିରାଜି ଏବେବି ପର୍ଯ୍ୟଟକଙ୍କୁ ବିମୋହିତ କରେ l ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ଯୋଗୁଁ ଏହି ଦୁଇ ପୀଠରେ ବର୍ଷସାରା ପ୍ରାୟ ଭିଡ଼ ଜମୁଥିବା ବେଳେ ପ୍ରମୁଖ ପର୍ବପର୍ବାଣୀ ବ୍ୟତୀତ ସଞ୍ଜ ନଇଁଲେ ଅନ୍ଧାର ରାଜୁତି କରୁଛି l
ରାମେଶ୍ୱର ମନ୍ଦିର ନିକଟରେ ଏଏସଆଇର କାର୍ଯ୍ୟାଳୟ ଥିବା ସତ୍ତ୍ୱେ ମନ୍ଦିରର ରକ୍ଷଣାବେକ୍ଷଣ ଓ ଭିତ୍ତିଭୂମି ବିକାଶ ପାଇଁ କୌଣସି ପଦକ୍ଷେପ ନେବା ଦେଖାଯାଉନାହିଁ l ଖୋଲା ଆକାଶ ତଳେ କିଛି ଭଗ୍ନ ପ୍ରତିମା ପଡ଼ିରହିଛି l ଗନ୍ଧରାଡ଼ିସ୍ଥିତ ଚାରିଶମ୍ଭୁ ମନ୍ଦିରକୁ ଏପର୍ଯ୍ୟନ୍ତ ସ୍ଥାୟୀ ବିଦ୍ୟୁତ କିମ୍ବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ l ରୋଷଶାଳାର ବ୍ୟବସ୍ଥା ନକହିବା ଭଲ l ନାମକୁ ମାତ୍ର ଏହି ଐତିହ୍ୟସମ୍ପନ୍ନ ପୀଠ ଦୁଇଟି ଏଏସଆଇ ଅଧିନରେ ରହିଥିବା ଅଭିଯୋଗ ହେଉଛି l
ଅନ୍ୟପଟେ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ପଥରଚେପାଠାରେ ଜିଲ୍ଲା ଦୁଇ ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜି ଭିତ୍ତିଭୂମି ବିକାଶ ବିଷୟରେ ନିଜ ଅଭିଭାଷଣରେ କହିବା ସହ ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ୬ କୋଟି ଟଙ୍କା ଘୋଷଣା କରିଥିଲେ l ଏହା ମଧ୍ୟରେ ୬ ବର୍ଷ କାଳ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ତାହା କେବଳ ନିର୍ବାଚନୀ ଘୋଷଣାରେ ରହିଯାଇଛି l ଏଥିରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନଥିବା ସ୍ପଷ୍ଟ ଅନୁମେୟ ହେଉଛି l ଭଗବାନଙ୍କ ଭରସାରେ ଉକ୍ତ ଦୁଇ ପୀଠ ତିଷ୍ଠି ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି l







