ଅଷ୍ଟ୍ରେଲିଆ ଇତିହାସରେ ପ୍ରଥମ, ଅଫିସରେ ବାହା ହେଲେ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ ଇତିହାସରେ ପ୍ରଥମ, ଅଫିସରେ ବାହା ହେଲେ ପ୍ରଧାନମନ୍ତ୍ରୀ

ଅଷ୍ଚ୍ରେଲିଆ ଗଣତାନ୍ତ୍ରିକ ଇତିହାସରେ ପ୍ରଥମ କରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ବିବାହ କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜ୍ । ଆଲବେନିଜ୍ ଶନିବାର କାନବେରାର ସରକାରୀ ବାସଭବନରେ ହେଡୋନ ନାମକ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ୬୨ ବର୍ଷ ବୟସରେ ଆନ୍ଥୋନିଙ୍କ ବିବାହକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ।

ଦି ଗାର୍ଡିଆନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶନିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଥିଲା ଏହି ବିବାହ ସମାରୋହ । ବିବାହ ସମାରୋହରେ ଆଲବାନିଜ୍‌ଙ୍କ ପୁଅ ନାଥନ୍ ଏବଂ ହେଡୋନଙ୍କ ବାପାମାଆ, ବିଲ୍ ଏବଂ ପାଉଲିନ୍‌ଙ୍କ ସମେତ ନିକଟତମ ପରିବାର ଏବଂ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ବିବାହର କିଛି ସମୟ ପରେ ଆନ୍ଥୋନି ଆଲବେନିଜ ଏକ୍ସ ପୋଷ୍ଟରେ ଏକ ଭିଡିଓ ଶେଆର୍ କରି କ୍ୟାପ୍ସନରେ ‘ମ୍ୟାରେଡ୍’ ବୋଲି ଲେଖିଛନ୍ତି । ଯେଉଁଥିରେ ସେ ତାଙ୍କ ନବବିବାହିତ ପତ୍ନୀଙ୍କ ହାତ ଧରି ଚାଲୁଥିବା ଦେଖିବାକୁ ମିଳିଛି ।

ଆନ୍ଥୋନି ଓ ହେଡୋନଙ୍କ ବିବାହ ବ୍ୟକ୍ତିଗତ ଭାବେ ଅନୁଷ୍ଠିତ କରାଯାଇ ଥିବାବେଳେ ବାହାଘର ପାଇଁ ସମସ୍ତ ଖର୍ଚ୍ଚ ଉଭୟ ଦମ୍ପତ୍ତି ବହନ କରିଛନ୍ତି । ସଂସଦର ଶେଷ ଅଧିବେଶନ ପର ଦିନ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଅତିଥିମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ (ଟ୍ରେଜରର୍) ଜିମ୍ ଚାଲମର୍ସ, ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ, ଅର୍ଥମନ୍ତ୍ରୀ କେଟି ଗାଲ୍ଲାଘେର, ALP ଜାତୀୟ ସଚିବ ପଲ୍ ଏରିକସନ୍ ଏବଂ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କର୍ମଚାରୀ ଟିମ୍ ଗାର୍ଟରେଲ୍ ଉପସ୍ଥିତ ଥିଲେ ।

ରିପୋର୍ଟ ଅନୁସାରେ, ଆଲବେନିଜ୍ ଏବଂ ହେଡୋନଙ୍କ ସାକ୍ଷାତ ପାଞ୍ଚ ବର୍ଷ ପୂର୍ବରୁ ମେଲବୋର୍ଣ୍ଣରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିଲା । ଆଲବେନିଜ୍ ୨୦୨୪ ଭାଲେଣ୍ଟାଇନ୍ସ ଡେରେ ହେଡୋନଙ୍କୁ ପ୍ରପୋଡ୍ କରିଥିଲେ । ଏହା ପରେ ଉଭୟ ରିଲେସନଶିପରେ ଥିଲେ, ଶେଷରେ ଦେଢ ବର୍ଷ ପରେ ଉଭୟ ବିବାହ କରିଛନ୍ତି ।

ତେବେ ଆଲବାନିଜଙ୍କ ଏହା ଦ୍ୱିତୀୟ ବିବାହ । ଏହା ପୂର୍ବରୁ NSWର ପୂର୍ବତନ ଡେପୁଟି ପ୍ରିମିୟର କାର୍ମେଲ ଟେବୁଟ୍ଟଙ୍କୁ ବିବାହ କରିଥିଲେ ଆଲବେନିଜ୍ । ବିବାହର ୨୦ ବର୍ଷ ପରେ ୨୦୧୯ ରେ ଉଭୟ ଅଲଗା ହୋଇଯାଇଥିଲେ ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories