୯୦ ବର୍ଷ ବୟସରେ ଇତିହାସ ରଚିଲେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା, ଜିତିଲେ ଜୀବନର ପ୍ରଥମ ଗ୍ରାମୀ ଆୱାର୍ଡ

୯୦ ବର୍ଷ ବୟସରେ ଇତିହାସ ରଚିଲେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା, ଜିତିଲେ ଜୀବନର ପ୍ରଥମ ଗ୍ରାମୀ ଆୱାର୍ଡ

ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ୯୦ ବର୍ଷ ବୟସରେ ନିଜ ଜୀବନର ପ୍ରଥମ ଗ୍ରାମୀ ଆୱାର୍ଡ ଜିତି ଏକ ନୂଆ ଇତିହାସ ରଚିଛନ୍ତି। ତାଙ୍କର ସ୍ପୋକେନ୍-ୱାର୍ଡ ଆଲବମ୍ ‘ମେଡିଟେସନ୍ସ: ଦ ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହଲିନେସ୍ ଦ ଦଲାଇ ଲାମା’ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଆମେରିକାର ଲସ୍ ଏଞ୍ଜେଲସଠାରେ ଆୟୋଜିତ ୬୮ତମ ବାର୍ଷିକ ଗ୍ରାମୀ ଆୱାର୍ଡସରେ ‘ବେଷ୍ଟ ଅଡିଓ ବୁକ୍, ନାରେସନ ଏବଂ ଷ୍ଟୋରିଟେଲିଂ ରେକର୍ଡିଂ’ ବର୍ଗରେ ସେ ବିଜୟୀ ହୋଇଛନ୍ତି। ଏହି ବର୍ଗରେ ସେ ଟ୍ରେଭର ନୋଆ ଏବଂ କେତାନଜୀ ବ୍ରାଉନ୍ ଜ୍ୟାକସନଙ୍କ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଛନ୍ତି।

ଏହି ବିଶେଷ ଆଲବମ୍‌ଟି ବିଶିଷ୍ଟ ସରୋଦ ବାଦକ ଓସ୍ତାଦ ଅମଜଦ ଅଲି ଖାନ ଏବଂ ତାଙ୍କର ଦୁଇ ପୁଅ ଅମାନ ଓ ଆୟାନ ଅଲି ବଙ୍ଗଶଙ୍କ ସହଯୋଗରେ ପ୍ରସ୍ତୁତ ହୋଇଛି। ଏଥିରେ ଦଲାଇ ଲାମାଙ୍କ ଶାନ୍ତି, ଦୟା ଏବଂ ମାନବିକତାର ବାର୍ତ୍ତାକୁ ଶାସ୍ତ୍ରୀୟ ସଙ୍ଗୀତ ସହ ସୁନ୍ଦର ଭାବେ ସଂଯୋଜିତ କରାଯାଇଛି।

ପୁରସ୍କାର ପାଇବା ପରେ ଦଲାଇ ଲାମା କହିଛନ୍ତି, “ମୁଁ ଏହି ସମ୍ମାନକୁ ନମ୍ରତାର ସହ ଗ୍ରହଣ କରୁଛି। ଏହା କେବଳ ମୋର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବିଶ୍ୱ ଶାନ୍ତି ଏବଂ ପରିବେଶ ସୁରକ୍ଷା ପାଇଁ ଆମର ମିଳିତ ଦାୟିତ୍ୱର ପରିଚୟ।” ସଙ୍ଗୀତଜ୍ଞ ରୁଫସ ୱେନରାଇଟ୍ ତାଙ୍କ ବଦଳରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଦଲାଇ ଲାମାଙ୍କ ଏହି ସଫଳତା ତାଙ୍କର ଅହିଂସା ଓ ମୈତ୍ରୀ ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାରେ ସହାୟକ ହେବ।

Latest Stories