ଧାନ କିଣା ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ହଙ୍ଗାମା: ଚାଷୀଙ୍କୁ କେତେ ମିଳିବ MSP?

ଧାନ କିଣା ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ହଙ୍ଗାମା: ଚାଷୀଙ୍କୁ କେତେ ମିଳିବ MSP?

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିବସରେ ଜଳ ସମ୍ପଦ, ରାଜସ୍ୱ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ଆଲୋଚନା ହୋଇଥିଲା। ତେବେ ମଣ୍ଡିର ଅବ୍ୟବସ୍ଥା ଓ ଧାନ କିଣାରେ ତ୍ରୁଟିକୁ ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ପ୍ରବଳ ଆଲୋଚନା ହୋଇଥିଲା।

ପ୍ରଥମେ ଧାନର MSP ଓ ଇନ୍‌ପୁଟ୍‌ ସହାୟତାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ, କେନ୍ଦ୍ର ସରକାର ଧାନର MSP କ୍ୱିଣ୍ଟାଲ ପିଛା ୨୩୬୯ ଟଙ୍କା କରିଥିବାବେଳେ ରାଜ୍ୟ ସରକାର ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ମିଶାଇଲେ ଚାଷୀମାନେ ମୋଟ ୩୧୬୯ ଟଙ୍କା ପାଇବା କଥା। ମାତ୍ର ସରକାର ୩୧୦୦ ଟଙ୍କା ଦେଉଛନ୍ତି। ଏହି ୬୯ ଟଙ୍କାର ତାରତମ୍ୟକୁ ନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ। ଅନ୍ୟଥା, ଇନ୍‌ପୁଟ୍‌ ସବ୍‌ସିଡି ୮୦୦ ନୁହେଁ, ୭୩୧ ଟଙ୍କା ବୋଲି ସରକାର ଘୋଷଣା କରନ୍ତୁ।

ଧାନ କିଣା ବିଳମ୍ବ ହେଉଥିବା ଯୋଗୁଁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଥିଲେ। ସେହିପରି, ପଞ୍ଜୀକରଣ ପ୍ରକ୍ରିୟା ଜଟିଳ ହେତୁ ବରଗଡ଼ରେ ପାଖାପାଖି ୫ ହଜାର ଚାଷୀ ପଞ୍ଜୀକରଣ କରିପାରି ନାହାନ୍ତି। କଂଗ୍ରେସ ବିଧାୟକ ଅଶୋକ ଦାସ ମଣ୍ଡିରେ ଆନାଲାଇଜର୍‌ ମେସିନ୍‌ର ଅଭାବ, ମନଇଚ୍ଛା କଟ୍‌ନି-ଛଟ୍‌ନି, ଏବଂ ଟୋକେନ୍ ଲାପ୍ସ ସମସ୍ୟା ଉଠାଇ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବାକୁ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ।

ଏହାର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଅଦିନିଆ ବର୍ଷା ଯୋଗୁଁ ଧାନ ସଂଗ୍ରହରେ ସାମାନ୍ୟ ବିଳମ୍ବ ହୋଇଛି। ତଥାପି, ଏପର୍ଯ୍ୟନ୍ତ ୧୯.୬୮ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବାବେଳେ ୨ ଲକ୍ଷ ୯୪ ହଜାରରୁ ଅଧିକ ଟୋକେନ୍ ଚାଷୀଙ୍କୁ ପ୍ରଦାନ କରାଯାଇଛି। ବରଗଡ଼, କଳାହାଣ୍ଡି ଓ ସମ୍ବଲପୁରରେ ୪୧୧୦ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇସାରିଛି। ଚାଷୀମାନଙ୍କୁ ସୁବିଧା ଦେବା ପାଇଁ ଟୋକେନ୍‌ର ଅବଧିକୁ ୧୫ ଦିନ ବୃଦ୍ଧି କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। କଟ୍‌ନି-ଛଟ୍‌ନିକୁ ରୋକିବା ପାଇଁ ମାନ ପରୀକ୍ଷଣ ଯନ୍ତ୍ର ଓ ଆହୁରି ଅନେକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ ସବ୍‌କମିଟି ମଧ୍ୟ ଗଠନ କରାଯାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories