ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା: ଥାନାରେ ଏତଲା ଦେଲେ ମା’, ଷଡ଼ଯନ୍ତ୍ରର ଅଭିଯୋଗ

ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା: ଥାନାରେ ଏତଲା ଦେଲେ ମା’, ଷଡ଼ଯନ୍ତ୍ରର ଅଭିଯୋଗ

କଟକ: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କଟକ ମର୍କତ ନଗର ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନଙ୍କ ମା’ ଶେଫାଳି ସୁନା ନିଜେ ଥାନାରେ ପହଞ୍ଚି ଏହି ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ତାଙ୍କ ପୁଅର ମୃତ୍ୟୁ ସ୍ୱାଭାବିକ ନୁହେଁ, ବରଂ ଏହା ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି। ଏହି ମୃତ୍ୟୁ ମାମଲାରେ ପୁଲିସ ଗଭୀର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି।

ଏତଲାରେ ହ୍ୟୁମାନଙ୍କ ମା’ ଉଲ୍ଲେଖ କରିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ହ୍ୟୁମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ହ୍ୟୁମାନଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ଅବହେଳା, ଦୁର୍ବ୍ୟବହାର, ଏବଂ ଅତ୍ୟଧିକ ଚାପର ସନ୍ଦେହ କରିଛନ୍ତି। ଏପରିକି ତାଙ୍କୁ ବିଷକ୍ରିୟା କରାଯାଇଛି କିମ୍ବା କୌଣସି ନିଶାଦ୍ରବ୍ୟ ପ୍ରୟୋଗ କରାଯାଇଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି।

କେବଳ ନିର୍ଯାତନା ନୁହେଁ, ବରଂ ଆର୍ଥିକ ହେରଫେର୍‌ର ସନ୍ଦେହ ମଧ୍ୟ ଏତଲାରେ ଦର୍ଶାଯାଇଛି। ହ୍ୟୁମାନଙ୍କ ଅର୍ଜିତ ସମ୍ପତ୍ତି ଓ ଆର୍ଥିକ କାରବାରରେ କିଛି ଲୋକଙ୍କର ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ଘଟଣା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣଗୁଡ଼ିକୁ ନଷ୍ଟ କରାଯାଇଥିବା ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି।

ହ୍ୟୁମାନଙ୍କ ମା’ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁ ଏତଲାରେ ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରେ ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି ଓ ଜଗଦ୍ଦୀଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଏବଂ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାରଙ୍କ ନାମ ମଧ୍ୟ ଏତଲାରେ ରହିଛି। ବିଶେଷ କରି ଅର୍ପିତା ଚୌଧୁରୀଙ୍କ ସମ୍ପତ୍ତି ବୃଦ୍ଧିକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ଏହାର ଉପଯୁକ୍ତ ତଦନ୍ତ ଚାହିଁଛନ୍ତି।

ଏହି ଏତଲା ପରେ କଟକ ପୁଲିସ ଏବେ ମାମଲାର ଛାନଭିନ୍ ଆରମ୍ଭ କରିଛି। ହ୍ୟୁମାନଙ୍କ ଅଗଣିତ ପ୍ରଶଂସକ ମଧ୍ୟ ଏହି ମାମଲାରେ ସତ୍ୟାସତ୍ୟ ସାମ୍ନାକୁ ଆସୁ ବୋଲି ଅପେକ୍ଷା କରିଛନ୍ତି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories