ଝାରସୁଗୁଡ଼ା: ଶିଳ୍ପନଗରୀ ଝାରସୁଗୁଡ଼ାରେ ପୁଣି ଥରେ ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଜି ସକାଳୁ ସହରର ଜନଗହଳିପୂର୍ଣ୍ଣ ମଙ୍ଗଳବଜାର ଅଞ୍ଚଳରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। କୌଣସି ଅମାନବୀୟ ବ୍ୟକ୍ତି ଗର୍ଭାବସ୍ଥାରେ ଅପରିପକ୍ୱ ଭାବେ ଜନ୍ମ ହୋଇଥିବା ଏହି ଶିଶୁକୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ଏହି ହୃଦୟବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଅସନ୍ତୋଷ ସୃଷ୍ଟି କରିଛି।
ଆଜି ସକାଳେ ମଙ୍ଗଳବଜାର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ରାସ୍ତା କଡ଼ରେ ଏକ ଧଳା କପଡ଼ାରେ ଗୁଡ଼ା ହୋଇଥିବା କିଛି ବସ୍ତୁ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଯାଇ ଯାଞ୍ଚ କରିବା ପରେ ତାହା ଏକ ଶିଶୁର ମୃତଦେହ ବୋଲି ଜଣାପଡିଥିଲା। ଶିଶୁଟିର ଶରୀର ଗଠନକୁ ଦେଖିଲେ, ଏହା ଏକ ଅପରିପକ୍ୱ ଭ୍ରୂଣ ବୋଲି ଅନୁମାନ କରାଯାଉଛି। ସମ୍ଭବତଃ ଗର୍ଭାବସ୍ଥାର ୪ରୁ ୫ ମାସ ମଧ୍ୟରେ ହିଁ ଏହାର ଅପରିପକ୍ୱ ପ୍ରସବ କିମ୍ବା ଗର୍ଭପାତ କରାଯାଇଛି ଏବଂ ପରେ କେହି ଏହାକୁ ନିର୍ଦ୍ଦୟ ଭାବେ ରାସ୍ତା କଡ଼ରେ ଫିଙ୍ଗି ଦେଇ ପଳାଇଛି।
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଝାରସୁଗୁଡ଼ା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଉପସ୍ଥିତିରେ ମୃତ ଶିଶୁର ଶରୀରକୁ ଜବତ କରାଯାଇ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଯାଇଛି। ଏନେଇ ଝାରସୁଗୁଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। କେଉଁ ପରିସ୍ଥିତିରେ ଏବଂ କିଏ ଏହି ଶିଶୁଟିକୁ ଏଭଳି ଅବସ୍ଥାରେ ଫିଙ୍ଗି ଦେଇଗଲା, ସେ ନେଇ ପୁଲିସ ଆଖପାଖ ଅଞ୍ଚଳରେ ତନାଘନା ଚଳାଇବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ବିଡ଼ମ୍ବନାର ବିଷୟ ହେଉଛି, ମଙ୍ଗଳବଜାର ଅଞ୍ଚଳରେ ଏଭଳି ଘଟଣା ଏକାକୀ ନୁହେଁ। ପ୍ରାୟ ୫ ମାସ ତଳେ ମଧ୍ୟ ଠିକ୍ ଏହି ଅଞ୍ଚଳର ଏକ ଅଳିଆ ଗଦାରୁ ଜଣେ ନବଜାତ ଶିଶୁପୁତ୍ରକୁ କେହି ଫିଙ୍ଗି ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବାରମ୍ବାର ଏଭଳି ହୃଦୟବିଦାରକ ତଥା ମାନବିକତାକୁ ଲଜ୍ଜିତ କଲା ଭଳି ଘଟଣା ଘଟୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି।
ପୁଲିସ ଘଟଣାର ସବିଶେଷ ତଦନ୍ତ ଜାରି ରଖିଛି ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଶିଶୁର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।








