ଭାରତ–ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି: ଓଡ଼ିଶା ପାଇଁ ଖୋଲିବ କି ଉନ୍ନତିର ନୂଆ ଦ୍ୱାର?

ଭାରତ–ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି: ଓଡ଼ିଶା ପାଇଁ ଖୋଲିବ କି ଉନ୍ନତିର ନୂଆ ଦ୍ୱାର?

ଭୁବନେଶ୍ବର: ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ରାଜିନାମା ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ଚୁକ୍ତି ରାଜ୍ୟକୁ ଅର୍ଥନୈତିକ ଭାବେ ଆହୁରି ସୁଦୃଢ଼ କରିବ ଏବଂ ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ।

ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଏହି ବାଣିଜ୍ୟ ରାଜିନାମା ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଆହୁରି ଶକ୍ତିଶାଳୀ କରିବ। ଆମେରିକା ସରକାର ଶୁଳ୍କ କମ୍ କରିଥିବାରୁ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦ ପାଇଁ ସେଠାରେ ଚାହିଦା ବଢ଼ିବ । ଏହାର ସିଧା ପ୍ରଭାବ ଉପକୂଳ ଅଞ୍ଚଳରେ ବସ ବାସ କରୁଥିବା ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ଉପରେ ପଡ଼ିବ। ଆଗାମୀ ଦିନରେ ଓଡ଼ିଶା ‘ନୀଳ ଅର୍ଥନୀତି’ର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଓଡ଼ିଶା ଦୀର୍ଘଦିନ ଧରି ଚିଙ୍ଗୁଡ଼ି ରପ୍ତାନିରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ପରିଚିତ। ରାଜ୍ୟରୁ ପ୍ରତିବର୍ଷ ପ୍ରାୟ ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି ହୋଇଥାଏ, ଯାହାରୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଆମେରିକାକୁ ଯାଏ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ମୁଖ୍ୟତଃ ଏହି ଚିଙ୍ଗୁଡ଼ି ଚାଷ ହୁଏ।

ଗତବର୍ଷ ଅଗଷ୍ଟ ମାସରେ ଆମେରିକା ସରକାର ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପ ଓ ଚାଷୀମାନଙ୍କ ଜୀବିକା ଉପରେ ବଡ଼ ପ୍ରଭାବ ପଡ଼ିଥିଲା। ଏଥିରେ ୨୫ ପ୍ରତିଶତ ପାଲଟା ଶୁଳ୍କ ଓ ରୁଷଠାରୁ ତେଲ କିଣିବାକୁ ନେଇ ଆଉ ୨୫ ପ୍ରତିଶତ ଜରିମାନା ଭାବେ ଲଗାଯାଇଥିଲା। ଫଳରେ ଅନେକ ଚାଷୀ ଓ ଶିଳ୍ପ ସଂପୃକ୍ତ ଲୋକ ସମସ୍ୟାରେ ପଡ଼ିଥିଲେ।

କିନ୍ତୁ ଦୁଇ ଦେଶ ମଧ୍ୟରେ ଲମ୍ବା ସମୟ ଧରି ଆଲୋଚନା ପରେ ଏବେ ଏକ ନୂତନ ବାଣିଜ୍ୟ ରାଜିନାମାରେ ପହଞ୍ଚିଛନ୍ତି। କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ସମ୍ପର୍କରେ ଘୋଷଣା କରିଥିଲେ ଏବଂ ୫୦ ପ୍ରତିଶତ ଶୁଳ୍କ କମାଇ ୧୮ ପ୍ରତିଶତ କରାଯାଇଛି। ଖୁବ୍‌ଶୀଘ୍ର ଏହି ଚୁକ୍ତିରେ ସ୍ୱାକ୍ଷର ହେବାକୁ ଯାଉଛି ।

ଏହା ସହିତ ସହିତ ଶୁଳ୍କ କୋହଳ ହେବାରୁ ଓଡ଼ିଶାର ହସ୍ତତନ୍ତ ଓ ରେଡିମେଡ୍ ପୋଷାକ ରପ୍ତାନି ମଧ୍ୟ ବଢ଼ିବ । ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ତିଆରି ସାମଗ୍ରୀ ଏବେ ବିଶ୍ୱବଜାରରେ ଆହୁରି ଅଧିକ ପହଞ୍ଚିପାରିବ। ଏହାଦ୍ୱାରା ହସ୍ତତନ୍ତ ଶିଳ୍ପୀ ଓ ବୁଣାକାରମାନଙ୍କ ରୋଜଗାର ବଢ଼ିବା ସହ ଓଡ଼ିଶାର ପାରମ୍ପରିକ ପୋଷାକ ଏକ ନୂଆ ପରିଚୟ ପାଇବ।

ସମଗ୍ର ଭାବେ ଦେଖିଲେ, ଭାରତ–ଆମେରିକା ବାଣିଜ୍ୟ ରାଜିନାମା ଓଡ଼ିଶା ପାଇଁ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେଇଛି। ମତ୍ସ୍ୟଜୀବୀ, ଚାଷୀ, କାରିଗର ଓ ଯୁବପିଢ଼ି ସମସ୍ତଙ୍କ ପାଇଁ ଏହା ଏକ ଆଶାର ସନ୍ଦେଶ ନେଇ ଆସିଛି। ଆଗାମୀ ଦିନରେ ଏହି ଚୁକ୍ତି ଓଡ଼ିଶାକୁ ଉନ୍ନତିର ନୂଆ ରାସ୍ତାରେ ଆଗେଇ ନେବ ବୋଲି ସାଧାରଣ ଲୋକ ଆଶା ରଖିଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories