କଟକ: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହି ହାଇ-ଭୋଲଟେଜ୍ ମୁକାବିଲା ପାଇଁ ଖେଳାଳିଙ୍କ ଠାରୁ ଆରମ୍ଭ କରି ପିଚ୍ ଓ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବାରବାଟୀରେ ଖୁବ୍ କମ୍ ଅନ୍ତର୍ଜାତୀୟ ମ୍ୟାଚ୍ ହେଉଥିବାରୁ ଏହି ମ୍ୟାଚ୍କୁ ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଗତକାଲି ଉଭୟ ଦଳ ବାରବାଟୀ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଅଭ୍ୟାସ ମଧ୍ୟ କରିଛନ୍ତି।
ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ନାଲି ମାଟିରେ ପିଚ୍ ପ୍ରସ୍ତୁତ କରାଯାଇଛି। ଏହା ବ୍ୟାଟ୍ସମ୍ୟାନମାନଙ୍କୁ ସହାୟକ ହେବାର ସମ୍ଭାବନା ରହିଛି। ଏଥିସହିତ, ମ୍ୟାଚ୍ ଆଗକୁ ବଢ଼ିବା ସହ କାକରର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ଏଣୁ ଏହି ମ୍ୟାଚ୍ଟି ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ବାରବାଟୀରେ ଏପର୍ଯ୍ୟନ୍ତ ମୋଟ ୩ଟି ଟି୨୦ ମ୍ୟାଚ୍ ଖେଳାଯାଇଛି। ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡରେ ଦୁଇ ଥର ମୁହାଁମୁହିଁ ହୋଇଥିବା ବେଳେ ଉଭୟ ଥର ଭ୍ରମଣକାରୀ ଦଳ ବାଜିମାତ୍ କରିଛି। ତେଣୁ ରେକର୍ଡ ଦକ୍ଷିଣ ଆଫ୍ରିକା ସପକ୍ଷରେ ରହିଥିବା ବେଳେ ଟିମ୍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୯୩ ରନର ଏକ ବଡ଼ ବିଜୟ ହାସଲ କରିଥିଲା। ଏଥର ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ରେକର୍ଡରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି।
ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଦଳରେ କୌଣସି ବିଶେଷ ପରିବର୍ତ୍ତନ କରିବ ନାହିଁ ବୋଲି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି। ତେବେ, ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍ ଗତକାଲି ନେଟ୍ସରେ ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ସେ ବେକଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ଯାଇଛନ୍ତି ଏବଂ ତାଙ୍କର ଖେଳିବା ଏକପ୍ରକାର ନିଶ୍ଚିତ। ଆହତଜନିତ ସମସ୍ୟା କାରଣରୁ ଗତ ୨ ମାସ ହେଲା କ୍ରିକେଟରୁ ଦୂରେଇ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଉଭୟ ଖେଳାଳି ଏସିଆ କପ୍ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ।
ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହେଉଛି, କିଏ ଉଇକେଟକିପର ଭାବେ ଖେଳିବେ? ଦଳରେ ସଞ୍ଜୁ ସାମସନ ଓ ଜୀତେଶ ଶର୍ମାଙ୍କୁ ସ୍ଥାନ ମିଳିଛି। ସଞ୍ଜୁ ସାମସନ ଜଣେ ଟପ୍ ଅର୍ଡର ବ୍ୟାଟର ଭାବେ ପରିଚିତ, କିନ୍ତୁ ଗିଲ୍ଙ୍କ ଉପସ୍ଥିତି ଯୋଗୁ ତାଙ୍କୁ ମିଡିଲ୍ ଅର୍ଡରରେ ଖେଳିବାକୁ ପଡ଼ିପାରେ। ମିଡିଲ୍ ଅର୍ଡରରେ ସେ ଏପର୍ଯ୍ୟନ୍ତ କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟପକ୍ଷରେ, ଜୀତେଶ ଶର୍ମା ଜଣେ ଲୋୟର ଅର୍ଡର ବ୍ୟାଟର ଏବଂ ତାଙ୍କ ପାଖରେ ମ୍ୟାଚ୍ ଫିନିଶ୍ କରିବାର ଦକ୍ଷତା ରହିଛି, ଯାହାକି ତାଙ୍କ ସପକ୍ଷରେ ଯାଇପାରେ। ଟିମ୍ ଇଣ୍ଡିଆ ଦୁଇ ପେସର, ଦୁଇ ସ୍ପିନର ଓ ଦୁଇ ଅଲରାଉଣ୍ଡରଙ୍କ ସହ ମ୍ୟାଚ୍କୁ ଓହ୍ଲାଇବାର ସମ୍ଭାବନା ରହିଛି।








