ପଞ୍ଚମ ଦିନରେ ପହଞ୍ଚିଛି ଇଣ୍ଡିଗୋ ଅଚଳାବସ୍ଥା । ବିମାନ ବାତିଲ୍ କାରଣରୁ ସାରା ଦେଶରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଗତ ଚାରି ଦିନ ଧରି ବ୍ୟାପକ ପରିଚାଳନାଗତ ତ୍ରୁଟି କାରଣରୁ 1,000ରୁ ଅଧିକ ବିମାନ ଉଡ଼ାଣ ନଭରି ରନୱେରେ ଠିଆ ହୋଇଛି । ବିଶେଷ କରି ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବଦ ବିମାନ ବନ୍ଦରରେ ଶହ ଶହ ଯାତ୍ରୀଙ୍କ ଭିଡ଼ ଜମିଛି । ନା କିଏ କୁଆଡ଼େ ଯାଇ ପାରୁଛନ୍ତି, ନା ଆସି ପାରୁଛନ୍ତି । ସମସ୍ତେ ଉଡ଼ାଣ ଭରିବାକୁ ଥିବା ଏୟାରପୋର୍ଟରେ ଅଟକି ରହିଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଯାତ୍ରୀ ।
ସୂଚନା ଅନୁସାରେ, ବିମାନ ଅଚଳାବସ୍ଥାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି । ମାନ୍ୟବର ସର୍ବୋଚ୍ଚ କୋର୍ଟ ଏଥିରେ ହସ୍ତକ୍ଷେପ କରି ଯାତ୍ରୀଙ୍କ ଯାତାୟତ ପାଇଁ ପରାମର୍ଶ ଦେବାକୁ ଆବେଦନକାରୀ ଆବେଦନ କରିଛନ୍ତି । ସେପଟେ, ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ପରାମର୍ଶଦାତା ଜାରି କରାଯାଇଛି । ବିମାନ ଚଳାଚଳ ସ୍ୱାଭାବିକ ହେଉଥିବା ନେଇ ପରାମର୍ଶଦାତାରେ ଜାରି ହୋଇଛି ।
ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶଦାତା ଜାରି କରି କହିଛି ଯେ ବିମାନ ଚଳାଚଳ ଧୀରେ ଧୀରେ ସ୍ୱାଭାବିକ ହେଉଛି । ଆଗକୁ ବିମାନ ଚଳଚଳ ସ୍ୱାଭାବିକ ହେବ । ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କର ବିମାନ ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ।
ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ୍ସରେ ପୋଷ୍ଟରେ ଲୋଖିଛନ୍ତି, “ଆମେ ଖୁସି ଯେ ଇଣ୍ଡିଗୋ ବିମାନ ଚଳାଚଳ ଏବେ ଧୀରେ ଧୀରେ ପୁନଃ ଆରମ୍ଭ ହେଉଛି । ଦୟାକରି ଘରୁ ବାହାରିବା ପୂର୍ବରୁ ବୁକିଂ ଏବଂ ବିମାନର ସ୍ଥିତି ଯାଞ୍ଚ କରନ୍ତୁ ।”
ଅନ୍ୟପଟେ ଯାତ୍ରୀ ଆଣିଛନ୍ତି ଭିନ୍ନ ଅଭିଯୋଗ । ବିମାନ ଉଡ଼ାଣର ସମୟ ଜାଣିବା ପାଇଁ କାଉଣ୍ଟରରେ ପଚାରିବାରୁ କୌଣସି ସଠିକ୍ ସୂଚନା ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ । ଏହାକୁ ନେଇ କ୍ଷୁବ୍ଧ ଯାତ୍ରୀ ବିମାନ ବନ୍ଦର ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଯାତ୍ରୀମାନେ ଗଣ୍ଡଗୋଳ କରିବା ସହ ଉଚ୍ଚ ସ୍ୱରରେ ପାଟି କରୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି । କେହି କେହି କାନ୍ଦି କାନ୍ଦି ମଧ୍ୟ ଭିଡିଓ ପୋଷ୍ଟ୍ କରି ସହାୟତା ଲୋଡ଼ିଛନ୍ତି । ହେଲେ ଖବର ଲେଖା ହେବା ସୁଦ୍ଧା ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବା ନେଇ କୌଣସି ଖବର ହସ୍ତଗତ ହୋଇନଥିଲା ।








