ଯୁକ୍ତ ଦୁଇ ଛାତ୍ର ତିଆରି କଲେ AI ଶିକ୍ଷକ, ଯାହା ପଚାରିଲେ ଦେଉଛି ଉତ୍ତର

ଯୁକ୍ତ ଦୁଇ ଛାତ୍ର ତିଆରି କଲେ AI ଶିକ୍ଷକ, ଯାହା ପଚାରିଲେ ଦେଉଛି ଉତ୍ତର

HT ଓଡିଶା ବ୍ଯୁରୋ: ଉତ୍ତର ପ୍ରଦେଶର ଜଣେ 17 ବର୍ଷୀୟ ଛାତ୍ର କମାଲ୍ କରି ଦେଖାଇଛନ୍ତି । ଭାରତର ଟେକ୍ନଲୋଜି ଜଗତକୁ ଆଉ ପାଦ ଆଗକୁ ନେଇ ଯାଇଛନ୍ତି ଛାତ୍ର ଜଣକ । ସେ ଏପରି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଶିକ୍ଷକ ଉଦ୍ଭାବନ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି ।

ଛାତ୍ର ଜଣକ ଉଦ୍ଧାବନ କରିଥିବା ଏଆଇ ଟିଚର୍ ରବୋଟ୍ ଅବିକଳ ଜଣେ ଶିକ୍ଷୟିତ୍ରୀଙ୍କ ଭଳି ଦେଖା ଯାଉଛନ୍ତି, ଯାହାର ନାମ ରଖିଛନ୍ତି ଶୋଫି । ଏଆଇ ଶୋଫି କ୍ଲାସରୁମକୁ ଯାଇ ଛାତ୍ରଛାତ୍ରୀ ପାଠପଢାରେ ସାହାଯ୍ୟ କରୁଛି । ପିଲାମାନେ ଯାହା ପ୍ରଶ୍ନ କରୁଛନ୍ତି ଶୋଫି ତାର ଫଟାଫଟ୍ ସଠିକ୍ ଉତ୍ତର ଦେଉଛି । ଏହି ଏଆଇ ଶିକ୍ଷୟିତ୍ରୀଙ୍କ ପାଠପଢା ସମୟର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଭାଇରାଲ୍ ଭିଡିଓ ଅନୁସାରେ, ଏଆଇ ଶିକ୍ଷକ ପିଲାମାନଙ୍କୁ ପ୍ରଥମେ ନିଜର ପରିଚୟ ଦେଇ କହିଥିଲେ – ହ୍ୟାଲୋ ବଚ୍ଚୋ ମୁଁ ଜଣେ ଏଆଇ ଶିକ୍ଷକ, ମୋର ନାମ ଶୋଫି, ମୋତେ ଆଦିତ୍ୟ ଉଦ୍ଧାବନ କରିଛନ୍ତି । ମୁଁ ଶିବ ଚରଣ ଇଣ୍ଟର କଲେଜରେ ପଢାଉଛି । ଏହାପରେ ଆଦିତ୍ୟ ଶୋଫିଙ୍କୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ ପଚାରିଥିଲେ । ଜବାବରେ ଶୋଫି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ନାମ ନେଇ ଆଉ କଣ ଜାଣିବାକୁ ଚାହୁଁଚ, ପଚାର ବୋଲି କହିଥିଲେ । ଶୋଫିଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଏବଂ ଇଲେକ୍ଟ୍ରିସିଟି କଣ ପଚରା ଯାଇଥିଲା, ଯାହାର ଠିକ୍ ଠିକ୍ ଜବାବ ଦେଇଥିଲା ଏଆଇ ଟିଚର୍ ଶୋଫି ।

ରିପୋର୍ଟ ଅନୁସାରେ, ଏଆଇ ଟିଚର୍ ରୋବଟ୍ ଉଦ୍ଭାବନ କରିଥିବା ଛାତ୍ର ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ବୁଲନ୍ଦଶର ସହରର ଆଦିତ୍ୟ କୁମାର । ସେ ବର୍ତ୍ତମାନ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି । ହାଇ-ଟେକ୍ ଟେକ୍ନଲୋଜି ବ୍ୟବହାର କରି ଏହି ଏଆଇ ଶିକ୍ଷକ ଉଦ୍ଧାବନ କରିଛନ୍ତି ଆଦିତ୍ୟ, ଯାହାର ମୂଲ୍ୟ ମାତ୍ର 25 ହଜାର ଟଙ୍କା ରଖିଛନ୍ତି ।

ସେ କିପରି ରୋବୋଟ୍ ତିଆରି କରିଥିଲେ ପଚରା ଯିବାରୁ ଆଦିତ୍ୟ କୁମାର କହିଛନ୍ତି, “ମୁଁ ଏହି ରୋବୋଟ୍ ତିଆରି କରିବା ପାଇଁ ଏକ LLM ଚିପସେଟ୍ ବ୍ୟବହାର କରିଛି, ଯାହା ରୋବୋଟ୍ ତିଆରି କରୁଥିବା ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ମଧ୍ୟ ବ୍ୟବହାର କରାଯାଏ । ଏହା ଛାତ୍ରମାନଙ୍କର ସନ୍ଦେହ ଦୂର କରିପାରିବ… ବର୍ତ୍ତମାନ ପାଇଁ, ଏଆଇ ଟିଚର୍ କେବଳ ପିଲାମାନଙ୍କୁ ପ୍ରଶ୍ନର ଉତ୍ତର ଦେଇପାରିବ । କିନ୍ତୁ ଆମେ ଏହାକୁ ଡିଜାଇନ୍ କରୁଛୁ ଯାହା ଦ୍ୱାରା ଏହା ଶୀଘ୍ର ଭଲ ଭାବରେ ଲେଖିପାରିବ ମଧ୍ୟ ।”

ଆଦିତ୍ୟ ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗବେଷଣା ପାଇଁ ଏକ ଉପଯୁକ୍ତ ପ୍ରୟୋଗଶାଳାର ସୁବିଧା ରହିବା ଉଚିତ । ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ସେଠାକୁ ଆସି ଗବେଷଣା କରିପାରିବେ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories