HT ଓଡ଼ିଶା ବ୍ଯୁରୋ: ଆଲୁମିନିୟମ ହେଉଛି ପୃଥିବୀର ସବୁଠାରୁ ଅଧିକ ମିଳୁଥିବା ମେଟାଲ କ୍ରଷ୍ଟ (metal crust)। ଅର୍ଥ କ୍ରଷ୍ଟ (earth crust ) ର ୮% ହେଉଛି ଆଲୁମିନିୟମ । ଏହା ଏକ ଭଲ ତାପ ସୁପରିବାହୀ, ସ୍ଥାୟୀ, ମଜବୁତ, ଶସ୍ତା ଏବଂ ସହଜରେ ମିଳୁଥିବା ଧାତୁ । ତେଣୁ ବହୁ ପୁରୁଣା କାଳରୁ ଏଥିରେ ତିଆରି ବାସନ ଗୁଡିକୁ ରୋଷଇ ଘରେ ପ୍ରୟୋଗ କରାଯାଇ ଆସୁଅଛି । ବର୍ତ୍ତମାନ ଯୁଗରେ ଗାଁ ଠାରୁ ସହର ପର୍ଯ୍ୟନ୍ତ, ରେସଟୁରେଣ୍ଟ ଠାରୁ ରାସ୍ତାକଡ ଫୁଡଷ୍ଟଲ ପର୍ଯ୍ୟନ୍ତ ସବୁସ୍ଥାନରେ ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ଏହାର ପ୍ରୟୋଗ କରାଯାଉଛି । ଆଲୁମିନିୟମ ଧାତୁ ପାଣି, ପନିପରିବା, ମେଡ଼ିସିନ ଆଦିରେ ରହିଛି ଯାହାକୁ ସମସ୍ତେ ପ୍ରତ୍ୟେକ ଦିନ ଗ୍ରହଣ କରୁଛନ୍ତି। ଏଗୁଡିକରୁ ମିଳୁଥିବା ଆଲୁମିନିୟମ ଶରୀର ପାଇଁ କ୍ଷତିକାରକ ହୋଇନଥାଏ । କିନ୍ତୁ ପ୍ରତ୍ୟେକ ଦିନ ଆପଣମାନେ ଆଲୁମିନିୟମ ବାସନରେ ଖାଦ୍ୟ ପ୍ରସ୍ତୁତ କରି ଖାଉଛନ୍ତି । ଏହି ଆଲୁମିନିୟମ ଖାଦ୍ୟରେ ମିଶି ଶରୀର ଭିତରକୁ ଯାଉଛି ଯାହା ଶରୀର ପାଇଁ ଏକ୍ସଟ୍ରା(extra) ଆଲୁମିନିୟମ ହୋଇଥାଇପାରେ ।
ତେଵେ ଆସନ୍ତୁ ଜାଣିବା ଆଲୁମିନିୟମ ବାସନରେ ରୋଷେଇ କରି ଖାଇବା ଭଲ ନା ଖରାପ:
ଗବେଷଣା ଅନୁସାରେ ଆଲୁମିନିୟମ ବାସନରେ ରୋଷେଇ କରିଲେ,ଆଲୁମିନିୟମର ବହୁତ ଅଳ୍ପ ମାତ୍ରା ଖାଦ୍ୟରେ ମିଶିଥାଏ ଯାହା ଜଣେ ସୁସ୍ଥ ବ୍ୟକ୍ତି ଖାଇଲେ କୌଣସି କ୍ଷତି କରିନଥାଏ । WHO ଗାଇଡ଼ଲାଇନ ଅନୁସାରେ ଜଣେ ସୁସ୍ଥ ବ୍ୟକ୍ତି ଗୋଟିଏ ସପ୍ତାହରେ ୨ mg/kg ନିଜ ଓଜନ ଅନୁସାରେ ଆଲୁମିନିୟମ ଗ୍ରହଣ କରି ସହ୍ୟ କରିପାରେ ଏବଂ ତା ଠାରୁ ଅଧିକ ହେଲେ ଶରୀରରୁ ଆପେ ଆପେ କିଡ଼ନୀ (kidney ) ଦ୍ୱାରା ନିଷ୍କାସିତ ହୋଇଯାଇଥାଏ । ଏହାଛଡା ବହୁତ ପୂର୍ଵ ପିଢ଼ିରୁ ଲୋକମାନେ ଆଲୁମିନିୟମ ତିଆରି ବାସନରେ ରୋଷେଇ କରି ଖାଉଥିଲେ କିନ୍ତୁ ଏହାଦ୍ୱାରା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେଉଥିବାର ରେକର୍ଡ ନାହିଁ । ତେଣୁ ଏହାକୁ ବ୍ୟବହାର କରିବାରେ କୌଣସି କ୍ଷତି ନାହିଁ।
କିନ୍ତୁ ଏହାକୁ ବ୍ୟବହାର କରିବାର ପ୍ରଣାଳୀ ହିଁ ବିପଦ ର କାରଣ ହୋଇଥାଏ । ଆଲୁମିନିୟମ ବାସନକୁ ଅତ୍ୟଧିକ ଗରମ କରି ରୋଷେଇ କରିଲେ, ଏହି ବାସନରେ ଅଧିକ ସମୟଧରି ଖାଦ୍ୟକୁ ରାନ୍ଧିଲେ ଏବଂ ରୋଷେଇ ହୋଇଥିବା ଖାଦ୍ୟକୁ ଅନେକ ସମୟ ଧରି ସେହି ବାସନରେ ରଖିଲେ, ଅଧିକ ପରିମାଣର ଆଲୁମିନିୟମ ଖାଦ୍ୟରେ ମିଶିଥାଏ । ଏହାଛଡା ଲୁଣିଆ ଏବଂ ଏସିଡିକ (acidic) ଯେପରି ଟମାଟର, ଭିନେଗାର,ଖଟ୍ଟା ଜାତୀୟ ରେସିପି ତିଆରି କରିଲେ ଆଲୁମିନିୟମର ଅଧିକ ମାତ୍ରା ଖାଦ୍ୟରେ ମିଶିଥାଏ ।
ଏହାଛଡା ଓଡ଼ିଆଙ୍କ ପ୍ରିୟ ଏବଂ ଗ୍ରାମୀଣ ଙ୍କ ଅତି ନିଜର ପଖାଳ (water rice) ଏକ ପ୍ରାକୃତିକ ଫରମେଣ୍ଟେଡ (fermented) ହୋଇଥିବା ପାଣି ଭାତ, ଯାହା ସାଧାରଣତଃ ଟିକିଏ ଖଟା(acidic) ହୋଇଥାଏ । ଏହି ପଖାଳକୁ ଯେତେବେଳେ ଆଲୁମିନିୟମ ବାସନ ରେ ଅନେକ ସମୟ ଧରି ରଖାଯାଏ,ଏହାର ଏସିଡ ଅଂଶ ଆଲୁମିନିୟମ ପାତ୍ରରେ ପ୍ରତିକ୍ରିୟା କରିଥାଏ ଏବଂ ଅଧିକ ମାତ୍ରାରେ ଆଲୁମିନିୟମ ପଖାଳରେ ମିଶିଥାଏ । ଏହା ବ୍ୟତୀତ ଅଧିକ ପୁରୁଣା, ଖଣ୍ଡିଆ ହୋଇଥିବା ଆଲୁମିନିୟମ ବାସନ ରୋଷେଇ ପାଇଁ ବ୍ୟବହାର କରିଲେ ମଧ୍ୟ ଅଧିକ ମାତ୍ରାରେ ଆଲୁମିନିୟମ ଖାଦ୍ୟରେ ମିଶିଥାଏ । ଏହି ଅଧିକ ପରିମାଣର ଆଲୁମିନିୟମ ମିଶିଥିବା ଖାଦ୍ୟକୁ ବେଳେ ବେଳେ ଖାଇଲେ ସାଧାରଣତଃ କୌଣସି ରୋଗ ହୋଇନଥାଏ । କିନ୍ତୁ ଏପ୍ରକାର ଖାଦ୍ୟ ଲମ୍ବା ସମୟ ଧରି ଖାଇଲେ ପେଟଜନିତ ରୋଗ,ହାଡ଼ ଜନିତ ରୋଗ, ରକ୍ତହୀନତା,ସ୍ନାୟୁଜନିତ ରୋଗ,କିଡ଼ନୀ ରୋଗ ଆଦି ହେବାର ଆଶଙ୍କା ଥାଏ । ତେଣୁ ଆଲୁମିନିୟମ ବାସନର ବ୍ୟବହାର କମ କରନ୍ତୁ । ଏହି ବାସନରେ ଖଟା ଜାତୀୟ ଖାଦ୍ୟ ରୋଷେଇ କରିବା ବନ୍ଦ କରନ୍ତୁ । ଅଧିକ ସମୟ ଧରି ଖାଦ୍ୟ କୁ ଏହି ବାସନରେ ରଖନ୍ତୁ ନାହିଁ । ଦରକାର ପଡିଲେ ପୁରୁଣା ଏବଂ ଖରାପ ବାସନ ବ୍ୟବହାର କରନ୍ତୁ ନାହିଁ। କିଡ଼ନୀ ସମସ୍ୟା ଏବଂ ରକ୍ତହୀନତା ଥିବା ବ୍ୟକ୍ତି ଏହି ବାସନର ବ୍ୟବହାରକୁ ନେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।








