ଭାରତର ମଧ୍ୟବିତ୍ତ ଶ୍ରେଣୀର ପରିବାର ଗୁଡିକରେ, ଆଳୁ ଏକ ବହୁଳ ପରିମାଣରେ ବ୍ୟବହାର ହେଉଥିବା ପରିବା ଅଟେ। ତରକାରୀ ହେଉ କି ଭଜା, ଡାଲମା ହେଉ କି ଭରତା ସବୁଥିରେ ଆଳୁର ବ୍ୟବହାର ହୋଇଥାଏ। ତେଣୁ ପ୍ରତ୍ୟେକ ଘରେ ନିଶ୍ଚିତ ଭାବରେ ଏହି ଆଳୁ ଦେଖିବାକୁ ମିଳିଥାଏ। କୌଣସି କାରଣରୁ ଆଳୁ ଅଧିକ ଦିନଯାଏଁ ରହିଗଲେ ତା ଉପରେ ଛୋଟ ଛୋଟ ଆଖି ପରିକା ଚି଼ହ୍ନ ଦେଖାଯାଏ,ଯାହା ଧୀରେ ଧୀରେ ଗଜା ଵା ଅଙ୍କୁର ରେ ପରିଣତ ହୁଏ।
ତେବେ ଗଜା ହୋଇଥିବା ଆଳୁ ଖାଇବା କେତେ ସୁରକ୍ଷିତ? ଆଳୁରେ ଗଜା ଵା ଅଙ୍କୁର ହେବା ଆରମ୍ଭ କଲେ, ଏହି ଅଙ୍କୁର ଆଳୁଭିତରେ ଥିବା ପୋଷକ ତତ୍ତ୍ୱ କୁ ବ୍ୟବହାର କରି ବଢ଼ିବା ଆରମ୍ଭ କରିଥାଏ।ଯାହାଦ୍ୱାରା ଆଳୁର ପୌଷ୍ଟିକତା କମି ଯାଏ।ଗଜା ଵା ଅଙ୍କୁରିତ ହୋଇଥିବା ଆଳୁରେ “ଚାକୋନିନ” ଏବଂ “ସୋଲାନିନ” ନାମକ ନେଚୁରାଲ ବିଷାକ୍ତ ପଦାର୍ଥର ମାତ୍ରା ବଢିଯାଏ, ଯାହା ମଣିଷ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ। ଏହି ବିଷାକ୍ତ ପଦାର୍ଥ ଆଳୁର ଅଙ୍କୁରରେ, ଚୋପାରେ, ସବୁଜ ହୋଇଥିବା ଅଂଶ ରେ ଅଧିକ ମାତ୍ରାରେ ରହିଥାଏ। ଏହି ପ୍ରକାରର ଆଳୁକୁ ଖାଇଵା ଦ୍ୱାରା ମଣିଷ ଶରୀରରେ ଫୁଡ ପୋଏଯୋନିଙ୍ଗ (food poisoning)ହେଇପାରେ, ଯେଉଁଥିପାଇଁ ବାନ୍ତି, ପେଟବ୍ୟଥା,ମୁଣ୍ଡବ୍ୟଥା, ମୁଣ୍ଡବୁଲେଇବା,ଡାଏରିଆ ପରି ଲକ୍ଷଣ ଦେଖାଯାଏ। ଯଦି ଏହି ପ୍ରକାରର ଆଳୁ ଅତ୍ୟଧିକ ମାତ୍ରାରେ ଖିଆଯାଏ ତେବେ ଏହା ଶ୍ୱାସ ଜନିତ ସମସ୍ୟା,ଲୋ ବ୍ଲଡ଼ପ୍ରେସର (low blood pressure), ସ୍ନାୟୁ ଜନିତ ସମସ୍ୟା (neurulogy issue),ପାରାଲିସିସ(paralysis) ପରି ଗମ୍ଭୀର ସମସ୍ୟା ର କାରଣ ମଧ୍ୟ ହେଇପାରେ।ଏହାଛଡା ଯଦି ଗର୍ଭବତୀ ମହିଳା ଏହି ପ୍ରକାର ଗଜା ଆଳୁ ଖାଏ, ତେବେ ଜନ୍ମଜ ଶିଶୁ ଠାରେ ଜନ୍ମଗତ ତ୍ରୁଟି ମଧ୍ୟ ଦେଖାଯିବାର ଆଶଙ୍କା ଥାଏ। ସବୁଠାରୁ ବଡ଼କଥା, ଗଜା ହୋଇଥିବା ଆଳୁକୁ ସିଝାଇଲେ, ତେଲ ରେ ଛାଣିଲେ କିମ୍ବା ରୋଷେଇ କରିଲେ ମଧ୍ୟ ଏଥିରେ ଥିବା ବିଷାକ୍ତ ପଦାର୍ଥ ଗୁଡିକ ନଷ୍ଟ ହୋଇନଥାଏ।
ତେଣୁ ଗଜା ହୋଇଥିବା ଆଳୁକୁ ବ୍ୟବହାର କରିବା ପାଇଁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ। ଯଦି ଆଳୁଗୁଡିକରେ ଛୋଟ ଛୋଟ ଆଖି ପରିକା ଆକାର ହୋଇଥାଏ କିମ୍ବା ସବୁଜ ରଙ୍ଗର ଚୋପା ଥାଏ ତେବେ ଏହି ଆଖି ଏବଂ ସବୁଜ ଚୋପା ଗୁଡିକୁ ଭଲ ଭାବରେ ଚାଁଛି ଫୋପାଡ଼ି ଦିଅନ୍ତୁ ଏବଂ ଭଲଥିବା ଅଂଶ କୁ ବ୍ୟବହାର କରନ୍ତୁ। କିନ୍ତୁ ଯଦି ଆଳୁରେ ଗଜା ଵା ଅଙ୍କୁର ହୋଇଥାଏ ଏବଂ ଆଳୁ ସବୁଜ ରଙ୍ଗର ଦେଖା ଯାଉଥାଏ, ତେବେ ଏହାକୁ କଦାପି ବ୍ୟବହାର କରନ୍ତୁ ନାହିଁ। ଏହା ଶରୀର ପାଇଁ ବିପଦ ସୃଷ୍ଟି କରିପାରେ। ତା ବଦଳରେ ସତେଜ ଆଳୁ ବ୍ୟବହାର କରି ଖାଆନ୍ତୁ ଏବଂ ସୁସ୍ଥ ରହନ୍ତୁ।








