ଭାରତର ନୂଆ ପ୍ରଧାନ ବିଚାରପତି ହେଲେ ଜଷ୍ଚିସ୍ ସୂର୍ଯ୍ୟକାନ୍ତ । ଜଷ୍ଚିସ୍ ସୂର୍ଯ୍ୟକାନ୍ତ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଚ୍ରପତି ଦ୍ରୌପଦି ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉପସ୍ଥିତି ଥିଲେ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପୂର୍ବରୁ ଜଷ୍ଟିସ୍ ଭୂଷଣ ଆର ଗଭାଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାମକୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସୁପାରିଶ କରିଥିଲେ । ସମ୍ବିଧାନର ଧାରା ୧୨୪ର ଧାରା (୨) ଅନୁସାରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ୨୦୨୭ ମସିହା ଫେବୃଆରୀ ୯ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ କିଏ
୧୦ ଫେବୃଆରୀ ୧୯୬୨ରେ ହରିୟାଣାରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ । ୧୯୮୪ରେ ହିସାରରୁ ଆଇନଜୀବୀ ଭାବେ ଯାତ୍ରା ଆରମ୍ଭ କରିଥିଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଏହାପରେ ଚଣ୍ଡିଗଡ଼, ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ । ବର୍ଷ ବର୍ଷ ଧରି ସେ ବିଶ୍ୱବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କ ଏବଂ ହାଇକୋର୍ଟର ପ୍ରତିନିଧିତ୍ୱ କରି ସାମ୍ବିଧାନିକ, ସେବା ଏବଂ ଦେୱାନୀ ମାମଲା ପରିଚାଳନା କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଜୁଲାଇ ୨୦୦୦ରେ ହରିୟାଣାର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା । ସେ ୨୦୦୧ରେ ଜଣେ ବରିଷ୍ଠ ଓକିଲ ଭାବରେ ନିଯୁକ୍ତି ପାଇଥିଲେ ଏବଂ 9 ଜାନୁଆରୀ ୨୦୦୪ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ ।
ଏହାପରେ ସୁପ୍ରିମକୋର୍ଟର ବିଚାରପତି ହେବା ପୂର୍ବରୁ ଅକ୍ଟୋବର ୨୦୧୮ରୁ ୨4 ମଇ ୨୦୧୯ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ନଭେମ୍ବର ୨୦୨4ରୁ ସୁପ୍ରିମକୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଆସୁଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଧାରା ୩୭୦ ରଦ୍ଦ କରିବା ଉପରେ ନିର୍ଦ୍ଦେଶ, ବିହାରର ଭୋଟର ତାଲିକା ସଂଶୋଧନ ଏବଂ ପେଗାସସ୍ ସ୍ପାଏୱେୟାର ମାମଲା ସମେତ ଅନେକ ଐତିହାସିକ ଶୁଣାଣି ବେଞ୍ଚର ସଦସ୍ୟ ଥିଲ ।








