କନ୍ଧମାଳରେ ପାଶବିକତା: ନାବାଳିକାଙ୍କୁ ଅପହରଣ ପରେ ଅକଥନୀୟ ଅତ୍ୟାଚାର, ଭିଡିଓ ଭାଇରାଲ ଧମକ ଦେଇ ଜଙ୍ଗଲରେ ଫିଙ୍ଗିଲେ ଦୁର୍ବୃତ୍ତ

କନ୍ଧମାଳରେ ପାଶବିକତା: ନାବାଳିକାଙ୍କୁ ଅପହରଣ ପରେ ଅକଥନୀୟ ଅତ୍ୟାଚାର, ଭିଡିଓ ଭାଇରାଲ ଧମକ ଦେଇ ଜଙ୍ଗଲରେ ଫିଙ୍ଗିଲେ ଦୁର୍ବୃତ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷର ନାବାଳିକା ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ସମୟରେ ସେହି ଗ୍ରାମର ଦୁଇଜଣ ଯୁବକ ତାଙ୍କୁ ଜୋରଜବରଦସ୍ତି ଅପହରଣ କରି ନେଇଥିଲେ। ଜଙ୍ଗଲ ମଧ୍ୟରେ ଅଭିଯୁକ୍ତମାନେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ, ମାତ୍ର ସେ ଏହାର ଦୃଢ଼ ପ୍ରତିବାଦ କରିବାରୁ ତାଙ୍କୁ ନିର୍ମମ ଭାବେ ମାଡ଼ ମରାଯାଇଥିଲା।

କେବଳ ସେତିକି ନୁହେଁ, କ୍ରୁରତାର ସୀମା ଟପି ଅଭିଯୁକ୍ତମାନେ ନାବାଳିକାଙ୍କ ପୋଷାକ ଚିରି ଭିଡିଓ କରିବା ସହ ତାକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ପରେ ତାଙ୍କ ପାଟିକୁ କପଡ଼ାରେ ବାନ୍ଧି ଏବଂ ହାତଗୋଡ଼ ବାନ୍ଧି ଅସହାୟ ଅବସ୍ଥାରେ ଜଙ୍ଗଲରେ ଛାଡ଼ି ପଳାଇଥିଲେ। ନାବାଳିକା ଜଣକ ସାରା ରାତି ସେହି ଅବସ୍ଥାରେ ଜଙ୍ଗଲରେ ରହିବା ପରେ ପରଦିନ ବହୁ କଷ୍ଟରେ ଘରକୁ ଫେରି ପରିବାରକୁ ସବୁ କଥା ଜଣାଇଥିଲେ।

ଏହି ସମ୍ପର୍କରେ ବେଲଘର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ପୋଲିସ ତାକୁ ଧରିବା ପାଇଁ ଖୋଳତାଡ଼ ଜାରି ରଖିଛି।

Latest Stories