‘ଆଞ୍ଚଳିକ ଯୁଦ୍ଧ’ର ହୁଙ୍କାର ଦେଲେ ଖାମେନେଇ: ଆମେରିକା-ଇରାନ ମଧ୍ୟରେ ବଢୁଛି ସାମରିକ ଉତ୍ତେଜନା

'ଆଞ୍ଚଳିକ ଯୁଦ୍ଧ'ର ହୁଙ୍କାର ଦେଲେ ଖାମେନେଇ: ଆମେରିକା-ଇରାନ ମଧ୍ୟରେ ବଢୁଛି ସାମରିକ ଉତ୍ତେଜନା

ତେହେରାନ: ମଧ୍ୟପ୍ରାଚ୍ୟରେ ସାମରିକ ସଙ୍କଟ ଘନେଇବାରେ ଲାଗିଛି। ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ଆମେରିକାକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଉପରେ କୌଣସି ପ୍ରକାରର ଆକ୍ରମଣ ହୁଏ, ତେବେ ଏହାର ପରିଣାମ ଏକ ବଡ଼ ଧରଣର “ଆଞ୍ଚଳିକ ଯୁଦ୍ଧ” ରେ ପରିଣତ ହେବ। ୧୯୭୯ ବିପ୍ଳବର ବାର୍ଷିକୀ ଅବସରରେ ଉଦ୍‌ବୋଧନ ଦେଇ ୮୬ ବର୍ଷୀୟ ଖାମେନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।

ଖାମେନେଇ କହିଛନ୍ତି ଯେ ନିକଟରେ ଇରାନରେ ହୋଇଥିବା ସରକାର ବିରୋଧୀ ବିକ୍ଷୋଭ ଏକ ବିଦେଶୀ ପ୍ରୟୋଜିତ “ଷଡ଼ଯନ୍ତ୍ର” ଥିଲା। ଜାନୁଆରୀ ମାସରେ ଦେଶର ମୁଦ୍ରା ‘ରିଆଲ’ର ମୂଲ୍ୟ ହ୍ରାସକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ବ୍ୟାପକ ହିଂସା ଦେଖାଦେଇଥିଲା। ସରକାରୀ ସୂଚନା ଅନୁସାରେ ଏଥିରେ ୩,୧୧୭ ଜଣ ପ୍ରାଣ ହରାଇଥିବା ବେଳେ ମାନବାଧିକାର ସଂଗଠନଗୁଡ଼ିକ ଏହି ସଂଖ୍ୟା ୬,୦୦୦ରୁ ଅଧିକ ବୋଲି ଦାବି କରୁଛନ୍ତି।

ସୀମାରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ଉଭୟ ଦେଶ କୂଟନୈତିକ ସ୍ତରରେ ଯୋଗାଯୋଗରେ ଥିବା ଜଣାପଡ଼ିଛି। ଏଥି ମଧ୍ଯ ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ ତେହେରାନ ବର୍ତ୍ତମାନ ୱାଶିଂଟନ୍ ସହିତ “ଗମ୍ଭୀର ଭାବେ ଆଲୋଚନା” କରୁଛି। ଇରାନ ଯେପରି ପରମାଣୁ ଅସ୍ତ୍ର ନିର୍ମାଣ ନକରେ, ସେଥିପାଇଁ ଏକ ନୂଆ ଚୁକ୍ତି ଉପରେ ଟ୍ରମ୍ପ ଜୋର ଦେଇଛନ୍ତି।

ଅନ୍ୟ ପଟେ ଇରାନର ସୁରକ୍ଷା ପରିଷଦ ମୁଖ୍ୟ ଅଲି ଲାରିଜାନି ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। କିନ୍ତୁ ଖାମେନେଇ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଆମେରିକାର ପ୍ରକୃତ ଲକ୍ଷ୍ୟ ହେଉଛି ଇରାନର ତୈଳ ଓ ଗ୍ୟାସ ସମ୍ପଦକୁ ହାତେଇବା।

ଗୋଟିଏ ପଟେ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଏହି ଉତ୍ତେଜନା ଏକ ଶାନ୍ତି ଚୁକ୍ତିରେ ପରିଣତ ହେବ କିମ୍ବା ଏକ ଭୟଙ୍କର ଯୁଦ୍ଧର ରୂପ ନେବ, ତାହା ଦେଖିବାକୁ ବାକି ରହିଲା।

Latest Stories