ଆଜିଠୁ ବରଗଡ଼ ଓ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ

ଆଜିଠୁ ବରଗଡ଼ ଓ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ

ଭୁବନେଶ୍ବର: ଆଜିଠାରୁ ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଖରିଫ ଧାନ କିଣା ଆରମ୍ଭ ହେଉଛି। ଟୋକନ୍ ଦ୍ୱନ୍ଦ୍ୱ ତୁଟିବା ପରେ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହେବା ଚାଷୀମାନଙ୍କ ପାଇଁ ଏକ ଆଶ୍ୱସ୍ତିର ବିଷୟ। ସମ୍ବଲପୁର ଜିଲ୍ଲାର ବରେଇପାଲି ମଣ୍ଡିରେ ଆବଶ୍ୟକୀୟ ପୂଜାର୍ଚ୍ଚନା ପରେ ଧାନକିଣା ଆରମ୍ଭ କରାଯିବ।

ସମ୍ବଲପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ମୋଟ ୧୧୭ଟି ମଣ୍ଡି ଖୋଲାଯାଇଛି। ଏଥିପାଇଁ ମୋଟ ୬୦ ହଜାର ୬୧୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଧାନ ସଂଗ୍ରହ କାର୍ଯ୍ୟରେ ୪୫ଟି ପେକ୍ସ, ୧୧ଟି ଏସଏଚଜି (ସ୍ୱୟଂ ସହାୟକ ଗୋଷ୍ଠୀ) ଏବଂ ୪୬ଟି ମିଲର ନିୟୋଜିତ ହୋଇଛନ୍ତି।

ସେହିପରି, ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଧାନ ଉତ୍ପାଦନକାରୀ ଜିଲ୍ଲା ବରଗଡ଼ରେ ଚଳିତ ବର୍ଷ ୨୩୦ଟି ମଣ୍ଡି ଖୋଲାଯାଇଛି। ଏଠାରେ ୧ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ବରଗଡ଼ରେ ଆଜି ସୁଦ୍ଧା ମୋଟ ୭୩ ହଜାର ଚାଷୀଙ୍କ ନିକଟକୁ ଧାନ ବିକ୍ରି ପାଇଁ ଟୋକେନ ପହଞ୍ଚିସାରିଛି।

ତେବେ, ଧାନକିଣା ଆରମ୍ଭ ହେଉଥିବା ବେଳେ ମଣ୍ଡିର ଭିତ୍ତିଭୂମିକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅନେକ ମଣ୍ଡିରେ ଧାନକୁ ସୁରକ୍ଷିତ ରଖିବା ପାଇଁ ସଂରକ୍ଷଣ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଖୋଲା ଆକାଶ ତଳେ ଧାନ କିଣାବିକା କରାଯାଉଥିବାରୁ ଅକସ୍ମାତ ବର୍ଷା କିମ୍ବା କୁଆପଥର ମାଡ଼ ହେଲେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି।

ଏପରି ପରିସ୍ଥିତିରେ, ସରକାର ତୁରନ୍ତ ମଣ୍ଡି ମାନଙ୍କରେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସୁରୁଖୁରୁରେ ଧାନ କିଣା ପାଇଁ ଜିଲ୍ଲା ପ୍ରଶାସନ ଉଭୟ ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ଶେଷ କରିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories